ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାକୁ ଯାଉଛି। ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ସମ୍ଭାବନା ରହିଛି ବୋଲି ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀର ବରିଷ୍ଠ ମନ୍ତ୍ରୀ ଦୀପକ କେସରକର କହିଛନ୍ତି। ଆସନ୍ତାକାଲି କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ତେବେ ମନ୍ତ୍ରିମଣ୍ଡଳରେ  ଅନ୍ୟ କେଉଁମାନେ ସାମିଲ ହେବେ  ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ମୁଖ୍ୟମନ୍ତ୍ରୀ  ସିନ୍ଦେ ଏବଂ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କାହାକୁ ଏଥର ଶୀର୍ଷ ପଦ ମିଳିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମୁଖ୍ୟମନ୍ତ୍ରୀ ଚୟନ ନେଇ ମହାୟୁତି ପକ୍ଷରୁ କୁହାଯାଇଛି ଯେ  ଏ ବାବଦରେ ସହଯୋଗୀ ଦଳମାନେ ଏକ ମିଳିତ ବୈଠକରେ ନିଷ୍ପତ୍ତି ନେବେ ଏବଂ  ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ କୌଣସି ବିବାଦ ରହିବ ନାହିଁ।  ରାଜ୍ୟର ମୋଟ୍‌ ୨୮୮ ବିଧାନସଭା ଆସନରୁ ମହାୟୁତି ୨୩୫ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୩୨ଟି ଆସନ ସହ ସର୍ବବୃହତ ଦଳ ଭାବେ ଉଭା ହୋଇଛି । ଅତୀତରେ ବିଜେପିକୁ ରାଜନୈତିକ ସଙ୍କଟରେ ପକାଇଥିବା ମହାରାଷ୍ଟ୍ରର ନେତାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ବିବାଦର ମୁଖ୍ୟ କାରଣ ପାଲଟିଥିଲା। ୨୦୧୯ରେ ଉଦ୍ଧବ ଠାକରେ ଓ ଫଡ଼ନାବିସଙ୍କ ମଧ୍ୟରେ କ୍ଷମତା ବିବାଦ ପରେ  ଶିବସେନା ଏନ୍‌ଡିଏ ମେଣ୍ଟରୁ ଓହରିଯାଇଥିଲା।

Advertisment

ଏକନାଥ ସିନ୍ଦେ ଶିବସେନା ବିଧାୟକ ଦଳ ନେତା ନିର୍ବାଚିତ  
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ରାତିରେ ଶିବସେନା ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ବିଧାୟକମାନଙ୍କ ଏକ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମହାୟୁତିର ବିଜୟ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ନିମନ୍ତେ ତାଙ୍କୁ କୃତଜ୍ଞତା ଜଣାଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଅନ୍ୟପକ୍ଷରେ  ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଅଜିତ ପାୱାର ମଧ୍ୟ ଏନ୍‌ସିପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଦଳର ରାଜ୍ୟ ସଭାପତି  ସୁନୀତ ତଟ୍‌କରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ପାୱାରଙ୍କୁ ବିଧାୟକ ଦଳର ନେତା  ନିଯୁକ୍ତ କରାଯାଇଥିଲା।