ମୁମ୍ବାଇ: ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତକାଲି ମହାୟୁତି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ବାତିଲ କରି ହଠାତ୍ ଗାଁକୁ ଚାଲିଯିବା ଫଳରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତା ବଢ଼ିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ଏବଂ କେବେ ସରକାର ଗଠନ ହେବ ସେନେଇ ଜୋରଦାର ଚର୍ଚ୍ଚା ଜାରି ରହିଥିବାବେଳେ ଆଜି ବିଜେପି ଶପଥ ଗ୍ରହଣ ପାଇଁ ତାରିଖ ଓ ସମୟ ଘୋଷଣା କରିଛି। ଡିସେମ୍ବର ୫ ତାରିଖ ଅପରାହ୍ନ ୫ଟାରେ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ହେବ ବୋଲି ବିଜେପି ଘୋଷଣା କରିଛି। ଯଦିଓ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ, ତଥାପି ବିଜେପି ଶପଥ ଗ୍ରହଣ ପାଇଁ ତାରିଖ ଘୋଷଣା କରିବା ଦ୍ବାରା ଏ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅବସାନ ଘଟିଛି। ଅନ୍ୟପକ୍ଷରେ ଏନ୍ସିପି ନେତା ଅଜିତ ପାୱାର ମହାରାଷ୍ଟ୍ରରେ ସରକାର ଗଠନର ଚିତ୍ର ସ୍ପଷ୍ଟ କରି କହିଛନ୍ତି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିଜେପିର ହେବ ଏବଂ ଶିବସେନା ଓ ଏନ୍ସିପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ । ସେ କହିଛନ୍ତି, ମହାୟୁତି ନେତାଙ୍କ ଦିଲ୍ଲୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ମହାୟୁତି ବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ସରକାର ଗଠନ କରିବ।
ବିଜେପିର ହିଁ ମୁଖ୍ୟମନ୍ତ୍ରୀ: ଅଜିତ ପାୱାର
ସିନ୍ଦେ ଅସୁସ୍ଥ, ଗାଁକୁ ଗଲେ ଡାକ୍ତର ଟିମ୍
ଅନ୍ୟପକ୍ଷେ ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ନେତା ଏକନାଥ ସିନ୍ଦେ ଏବେ ସତରା ଜିଲ୍ଲା ଅଧୀନସ୍ଥ ତାଙ୍କ ଗାଁରେ ଥିବାବେଳେ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଏକ ଡାକ୍ତରୀ ଟିମ୍ ସିନ୍ଦେଙ୍କ ଗାଁକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ସିନ୍ଦେ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସିନ୍ଦେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନେଇପାରନ୍ତି ବୋଲି ଶିବସେନା ନେତା ସଂଜୟ ଶିରସତ କହିବାର କିଛି ଘଣ୍ଟା ପରେ ସେ ଅସୁସ୍ଥ ଥିବା ଖବର ଆସିଛି। ଶିବସେନା ନେତା ଉଦୟ ସାମନ୍ତ ଦାବି କରିଛନ୍ତି ଯେ ସିନ୍ଦେ ଅସନ୍ତୁଷ୍ଟ ନାହାନ୍ତି ଏବଂ ସେ ଅସୁସ୍ଥ ଥିବାରୁ ତାଙ୍କ ଗାଁକୁ ଯାଇଛନ୍ତି। ଆସନ୍ତାକାଲି ମହାୟୁତି ମେଣ୍ଟର ବୈଠକରେ ବିଭାଗ ବଣ୍ଟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।