ମହାରାଷ୍ଟ୍ର ରାଜନୀତି, ଏବେ ବିକଳ୍ପ କ’ଣ?

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଭିତରେ ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେଇଥିବାରୁ ଏବେ ବିକଳ୍ପ ନେଇ କସରତ ଆରମ୍ଭ ହୋଇଯାଇଛି। ସାଂପ୍ରତିକ ରାଜନୈତିକ ସଙ୍କଟ ପାଇଁ ଆଜି ବିଜେପି ସବୁ ଦୋଷ ଶିବସେନା ମୁଣ୍ଡରେ ଲଦି ଥିବାରୁ ସେନା ଉପରେ ଚାପ ବଢ଼ିଯାଇଛି। ରାଜ୍ୟରେ ସଂଖ୍ୟାଗରିଷ୍ଠତା ନଥାଇ ସରକାର ଗଠନ କରିବ ନାହିଁ ବୋଲି ବିଜେପି ନିଷ୍ପତ୍ତି ନେଇଛି। ଆବଶ୍ୟକ ସମର୍ଥନ ନଥାଇ ସରକାର ଗଠନ କଲେ ଶିବସେନାକୁ କଂଗ୍ରେସ ଏବଂ ଏନ୍‌ସିପି ସହିତ ସରକାର ଗଠନ ପାଇଁ ମଉକା ମିଳିଯିବ। ଶିବସେନା ଯେନତେନ ପ୍ରକାରେ କ୍ଷମତା ହାସଲ କରିବା ପାଇଁ କଂଗ୍ରେସ ଏବଂ ଏନ୍‌ସିପି ସହିତ ସରକାର ଗଠନ କରିବା ପାଇଁ ମଉକା ଖୋଜୁଥିବାରୁ ବିଜେପି ଏବେ ସୁଚିନ୍ତିତ ରଣନୀତିରେ ଆଗକୁ ବଢ଼ୁଛି। ତେବେ ବର୍ତ୍ତମାନ ସ୍ଥିତିରେ ବି ବିଜେପି ଏବଂ ଶିବସେନା ମଧ୍ୟରେ ବୁଝାମଣା ସମ୍ଭବ ବୋଲି କୁହାଯାଉଛି । ଏଥିପାଇଁ ଦଳର ବରିଷ୍ଠ ନେତା ନୀତିନ ଗଡ଼କରୀ ମୁମ୍ବାଇରେ ପହଞ୍ଚି ଆଲୋଚନା ଆରମ୍ଭ କରିଛନ୍ତି। ଯଦି ଆଲୋଚନା ସଫଳ ହୁଏ ତା’ହେଲେ ନୂଆ ସରକାର ଗଠନ ଦିଗରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଶିବସେନା ପାଖରେ ଅନ୍ୟ ବିକଳ୍ପ ହେଲା ଏହା ଏନ୍‌ସିପି ସହିତ ମେଣ୍ଟ କରି କଂଗ୍ରେସ ସମର୍ଥନରେ ସରକାର ଗଠନ କରିବ। ତେବେ ଉଭୟ ଦଳର ଘୋର ବିରୋଧୀ ଶିବସେନା ବିଜେପି ସହିତ ସବୁ ସଂପର୍କ ତୁଟାଇ ଏଭଳି ନିଷ୍ପତ୍ତି ନେଲେ ଦଳ ପାଇଁ ଭବିଷ୍ୟତରେ ଏହା କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ଦଳୀୟ ନେତାମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ପ୍ରଥମ ବିକଳ୍ପ ଆଧାରରେ ସରକାର ଗଠନ ପାଇଁ ଶିବସେନାକୁ ମୁଖ୍ୟମନ୍ତ୍ରୀ ଦାବି ଛାଡ଼ିବାକୁ ପଡ଼ିବ। ତେବେ ଉଭୟ ଦଳ ଭିତରେ ଏବେ ତିକ୍ତତା ଯେଭଳି ସ୍ଥିତିରେ ପହଞ୍ଚିଛି ସେଠାରେ ଏଭଳି ସମ୍ଭାବନା କମ୍‌ ବୋଲି କୁହାଯାଉଛି ।

ଯଦି ସରକାର ଗଠନକୁ ନେଇ ଏଭଳି ଅଚଳାବସ୍ଥା ଲାଗି ରହିବ ତା’ହେଲେ ଦୁଇ ଦିନ ଭିତରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିପାରନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ହାସଲ ଆବଶ୍ୟକ। ବିଜେପି ୧୦୫ ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନାକୁ ୫୬ ଆସନ ମିଳିଛି। ଅନ୍ୟପକ୍ଷରେ ଏନ୍‌ସିପି ଆସନ ସଂଖ୍ୟା ୫୪ ଥିବା ବେଳେ କଂଗ୍ରେସ ପାଖରେ ୪୨ ଆସନ ରହିଛି।

ସମ୍ବନ୍ଧିତ ଖବର