ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାଉତ ସୋମବାର ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଶିବସେନା, କଂଗ୍ରେସ ଓ ଏନ୍‌ସିପିର ୧୬୨ ବିଧାୟକଙ୍କୁ ଦେଖିଯାଆନ୍ତୁ । ସେ ସଂଧ୍ୟା ୭ଟାରେ ମୁମ୍ବାଇର ଗ୍ରାଣ୍ଡ୍‌ ହାୟତ ହୋଟେଲ୍‌କୁ ରାଜ୍ୟପାଳକୁ ନିମନ୍ତ୍ରଣ ଦେଇ ୩ ଦଳର ସମସ୍ତ ୧୬୨ ବିଧାୟକଙ୍କୁ ଉପସ୍ଥାପନ କରୁଥିବା ସୂଚନା ଦେଇଛନ୍ତି। ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ କୋଶ୍ୟାରୀ ଶପଥ କରାଇବା ଓ ତା’ପରେ ସୃଷ୍ଟି ହୋଇଥିବା ରାଜନୈତିକ ଛକାପଞ୍ଝା ପରେ ସଞ୍ଜୟ ରାଉତଙ୍କ ପକ୍ଷରୁ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ସେ ତାଙ୍କ ଟ୍ବିଟ୍‌ର ପେଜ୍‌ରେ ଲେଖିଛନ୍ତି ଯେ ’ଆମେ ସମେସ୍ତ ଏକ ଏବଂ ଏକତ୍ର ଅଛୁ। ପ୍ରଥମ ଥର ପାଇଁ ଆମର ୧୬୨ ଜଣ ବିଧାୟକଙ୍କୁ ଏକତ୍ର ଗ୍ରାଣ୍ଡ୍‌ ହାୟତ ହୋଟେଲ୍‌ରେ ସଂଧ୍ୟା ୭ଟାରେ ଭେଟନ୍ତୁ ଓ ଦେଖନ୍ତୁ।’

ପୂର୍ବରୁ ଶିବସେନା, ଏନ୍‌ସିପି ଓ କଂଗ୍ରେସର ୧୬୨ ବିଧାୟକ ଦସ୍ତଖତ ଆକାରରେ ନିଜ ନିଜର ସମର୍ଥନ ଦେବା ପରେ ଦଳ ପକ୍ଷରୁ ସେମାନଙ୍କୁ ଭିନ୍ନ ଭିନ୍ନ ହୋଟେଲ୍‌ ଓ ରିସୋର୍ଟସକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରଥମ ଥର ‌ପାଇଁ ସେମାନେ ନିଜର ବିଧାୟକ ସଂଖ୍ୟା ସାମ୍ନାସାମ୍ନି ଉପସ୍ଥାପନ କରିବାକୁ ଚାହିଁଛନ୍ତି।

ତେବେ, ସଞ୍ଜୟ ରାଉତଙ୍କ ପରି ଶିବସେନା, ଏନ୍‌ସିପି ଓ କଂଗ୍ରେସର ଆହୁରି ଅନେକ ଶୀର୍ଷ ସ୍ତରୀୟ ନେତା ଟ୍ବିଟର୍‌ରେ ‘ଆମେ ୧୬୨’ ବୋଲି ଲେଖି ପୋଷ୍ଟ୍ କରିଛନ୍ତି।