ସରକାରୀ ଡ଼ାକ୍ତରଖାନାରେ ଷ୍ଟ୍ରେଚର ନ ମିଳିବାରୁ ରୋଗୀକୁ ବେଡ଼୍‍ସିଟ୍‌ରେ ଘୋଷାଡ଼ିି ଘୋଷାଡ଼ିି ନେଲେ ପରିବାର ଲୋକେ

ନାନ୍ଦେଡ଼୍‍(ମହାରାଷ୍ଟ୍ର) : ଦେଶରେ ସରକାରୀ ଡ଼ାକ୍ତରଖାନାରେ ରୋଗୀମାନଙ୍କର କିଭଳି ଭାବରେ ଚିକିତ୍ସା କରାଯାଏ, ତାହା କାହାକୁ ଅଛପା ନାହିଁ । କେତେବେଳେ ଚିକିତ୍ସା ପାଇଁ ଦରକାର ହେଉଥିବା ଜିନିଷର ଅଭାବ ତ କେତେବେଳେ ମନଇଚ୍ଛା ଚିକିତ୍ସା କରିବାର ମନୋବୃତ୍ତି ଏବଂ କେତେବେଳେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ଜୀବନ ଯିବା ଭଳି ଘଟଣା ସରକାରୀ ଡ଼ାକ୍ତରଖାନାଗୁଡ଼ିକରେ ଆଗରୁ ଘଟିଥିବା ଖବର ଆସି ସାରିଛି । ଏ ସବୁ ଘଟଣା ପରେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ସରକାର ସତ ଚେଷ୍ଟା କରୁଥିଲେ ମଧ୍ୟ ଦେଶରେ ଏହି ଚିତ୍ରରେ କୌଣସି ପରିବର୍ତ୍ତନ ଆସୁ ନାହିଁ ।

Storypick

ମହାରାଷ୍ଟ୍ରର ନାନ୍ଦେଡ଼୍‍ ଜିଲ୍ଲାରେ ଥିବା ସରକାରୀ ଡ଼ାକ୍ତରଖାନାରେ କିଛି ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଜଣେ ରୋଗୀଙ୍କୁ ଷ୍ଟ୍ରେଚର ନଥିବାରୁ ପରିବାର ଲୋକେ ଏକ ବେଡ଼୍‍ସିଟ୍‌ ସାହାଯ୍ୟରେ ଟାଣି ଟାଣି ନେଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗରୁ ଏଭଳି ଅନେକ ଥର ଘଟିଥିଲେ ମଧ୍ୟ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ କୌଣସି ଚେଷ୍ଟା କରୁ ନ ଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡ଼ିଆରେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଡ଼ାକ୍ତରଖାନାର ଡ଼ିନ୍‌ ଚନ୍ଦ୍ରକାନ୍ତ ମସ୍କେ ଏହାର ତଦନ୍ତ ପାଇଁ ଆଦେଶ ଦେଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଉପସ୍ଥିତ ଥିବା ଡ଼ାକ୍ତାରଖାନାର କର୍ମଚାରୀଙ୍କ କହିବା ଅନୁଯାୟୀ,ରୋଗୀଙ୍କ ପରିବାର ଲୋକଙ୍କୁ ଷ୍ଟ୍ରେଚରକୁ ଅପେକ୍ଷା କରିବା ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ ଅପେକ୍ଷା ନ କରି ବେଡ଼୍‍ସିଟ୍‌ରେ ଟାଣି ଟାଣି ନେଇ ଯାଇଥିଲେ ।

ସମ୍ବନ୍ଧିତ ଖବର