ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, ୩ଦିନ ହେଲାଣି ୧,୦୦୦ ଉପରେ ରହୁଛି ସଂକ୍ରମଣ

ମୁମ୍ବାଇ: କୋଭିଡ୍‌-୧୯ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍‌ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି। ଲଗାତାର ୩ଦିନ ହେଲାଣି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୧,୦୦୦ ଉପରେ ରହିଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ୧୩୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ୧୧୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଶନିବାର ଚିହ୍ନଟ ହୋଇଥିବା ୧୩୫୭ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ କେବଳ ମୁମ୍ବାଇରୁ ୮୮୯ଜଣ କରୋନା ସଂକ୍ରମିତ ଅଛନ୍ତି। ନବି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ୧୦୪ଟି ନୂଆ ମାମଲା ରିପୋର୍ଟ କରିଥିବାବେଳେ ଥାଣେ ଏବଂ ପୁଣେ ସହରରେ ଯଥାକ୍ରମେ ୯୧ ଏବଂ ୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏବେ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍‌ ପିନ୍ଧିବା ପାଇଁ ଆଦେଶ ଦିଆଯିବା ସହ ଟ୍ରେନ୍‌, ବସ୍‌, ସିନେମା, ଅଡିଟରିୟମ୍‌, ଅଫିସ୍, ହସ୍ପିଟାଲ୍‌, କଲେଜ, ସ୍କୁଲ୍‌ ଆଦି ଆବଦ୍ଧ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍‌ ପିନ୍ଧିବା ପାଇଁ କୁହାଯାଇଛି। ଗତ ଦୁଇ ମାସ ହେବ ରାଜ୍ୟରେ କୋଭିଡ୍‌-୧୯ ମାମଲା କ୍ରମଶଃ ହ୍ରାସ ପାଇବା ପରେ ସଂକ୍ରମଣ ମାମଲା ଧୀରେ ଧୀରେ ବୃଦ୍ଧି ପାଉଥିଲା। କିନ୍ତୁ ଜୁନ୍‌ ପହିଲାରେ ଦୈନିକ ସଂକ୍ରମଣ ମାମଲା ପ୍ରଥମ ଥର ପାଇଁ ୧୦୦୦ ଟପିଯାଇଛି। ଏବେ ମୁମ୍ବାଇ ମେଟ୍ରୋପଲିଟାନ୍‌ ଅଞ୍ଚଳ ଏବଂ ଥାନେରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଉଛି। ଏହାଛଡ଼ା, ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପଜିଟିଭିଟି ହାର ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର