ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲା ୭ଟି ବିଏ.୪, ବିଏ.୫ ମାମଲା

ନୂଆଦିଲ୍ଲୀ :  ଓମିକ୍ରନର ଉପ-ପ୍ରଜାତି ବା ସବ-ଭାରିଆଣ୍ଟ ବିଏ.୪ ଓ ବିଏ.୫ର ଆଉ କିଛି ମାମଲା ଭାରତରେ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ବିଏ.୪ର ୪ଟି ମାମଲା ଓ ବିଏ.୫ର ୩ଟି ମାମଲା ଚିହ୍ନଟ ହୋଇଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା । ରାଜ୍ୟରେ ପ୍ରଥମ ଥର ପାଇଁ ଏସବୁ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚିହ୍ନଟ ହୋଇଥିବା ସମସ୍ତ ମାମଲା ପୁଣେରୁ ଚିହ୍ନଟ ହୋଇଛି । ସମସ୍ତଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ରହିଛି ଓ ସମସ୍ତେ ଘରେ ଚିକିତ୍ସିତ ହେଉଛନ୍ତି ।

ଗତ ୨୦ ତାରିଖରେ ଭାରତର ପ୍ରଥମ ବିଏ.୪ ମାମଲା ହାଇଦ୍ରାବାଦରେ ଚିହ୍ନଟ ହୋଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଏ.୪ ସବ-ଭାରିଆଣ୍ଟ ଗତ ଜାନୁଆରି ୧୦ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା । ସେହିପରି ବିଏ.୫ ସବ-ଭାରିଣାଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲଠାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା । ଏହା ପରେ ଏହି ଦୁଇଟି ସବ-ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ପହଞ୍ଚିସାରିଲାଣି । ଏପରିକି ନିକଟରେ କେତେକ ଦେଶରେ ବଢିଚାଲିଥିବା ସଂକ୍ରମଣ ପଛରେ ଏହି ଦୁଇଟି ସବ-ଭାରିଆଣ୍ଟ ରହିଛି ବୋଲି କୁହାଯାଉଛି । ଏହି ସବ-ଭାରିଆଣ୍ଟ କମ ମାରାତ୍ମକ ହେଲେ ବି ଅଧିକ ସଂକ୍ରାମକ ।

ସମ୍ବନ୍ଧିତ ଖବର