ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି, ପାୱାର ଇଡି ମୁହାଁମୁହିଁ

ଇଡି ଦପ୍ତର ଯିବା ନିଷ୍ପତ୍ତି ବଦଳାଇଲେ ପାୱାର

ମୁମ୍ବାଇ: ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି। ପାୱାର ଆଜି ବିନା ଡାକରାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ ବୋଲି ଘୋଷଣା କରିବା ପରେ ସମଗ୍ର ରାଜ୍ୟରେ ଏନ୍‌ସିପି କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଥିଲେ। ଏହାକୁ କେନ୍ଦ୍ର କରି ବିଭିନ୍ନ ଅଂଚଳରେ ଉତ୍ତେଜନା ବଢ଼ିବାରୁ ୭ଟି ଥାନା ଅଂଚଳରେ ଧାରା ୧୪୪ ଲାଗୁ ହୋଇଛି। ତେବେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁମ୍ବାଇ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଲିସ କମିସନରଙ୍କ ଅନୁରୋଧକ୍ରମେ ପାୱାର ତାଙ୍କ ସହ ଆଲୋଚନା କରିଥିଲେ ଏବଂ ଇଡି କାର୍ଯ୍ୟାଳୟ ଯିବା ନିଷ୍ପତ୍ତିରୁ ଓହରିଥିଲେ। ପୁଲିସ କମିସନର ସଂଜୟ ବର୍ବେ ପାୱାରଙ୍କ ବାସଭବନକୁ ଯାଇ ତାଙ୍କୁ ଇଡି କାର୍ଯ୍ୟାଳୟ ନ ଯିବାକୁ ଅନୁରୋଧ କରିଥିଲେ।

ପୁଲିସ କମିସନରଙ୍କ ସହ ଆଲୋଚନା ପରେ ପାୱାର କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ହେବା ମୁଁ ଚାହୁନାହିଁ, ତେଣୁ ଇଡି କାର୍ଯ୍ୟାଳୟ ଯିବା ନିଷ୍ପତ୍ତିରୁ ଓହରିଛି। ତେବେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଦ୍ବାରା ପାୱାର ଇଡି, ପୁଲିସ ପ୍ରଶାସନ ଉପରେ ଚାପ ସୃଷ୍ଟି କରି ନିବାଚନୀ ଫାଇଦା ଉଠାଇବାକୁ ଚାହୁଛନ୍ତି ବୋଲି ମଧ୍ୟ କୁହାଯାଉଛି । ଇଡି ପାୱାରଙ୍କୁ ଏବେ ଜେରା କରିବାକୁ ଚାହୁନଥିଲେ ମଧ୍ୟ ସେ ନିଜ ଆଡ଼ୁ ଇଡି କାର୍ଯ୍ୟାଳୟ ଯିବା ପାଇଁ ଯେଉଁ ଡ୍ରାମା କରିଥିଲେ ସେ ସଂପର୍କରେ ଲୋକେ ଠିକ୍‌ ଜାଣିଛନ୍ତି ବୋଲି ଅନେକ ବିଜେପି ନେତା କହିଛନ୍ତି। ୨୫ ହଜାର କୋଟି ଟଙ୍କାର ସମବାୟ ଦୁର୍ନୀତି ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଥିବା ବେଳେ ଆଜି ଅପ୍ରତ୍ୟାଶିତ ଭାବେ ପାୱାରଙ୍କୁ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତଙ୍କ ସମର୍ଥନ ମିଳିଛି। ଏହି ବିଶାଳ ଦୁର୍ନୀତି ସମୟରେ ପାୱାର କ୍ଷମତାରେ ନଥିଲେ ବୋଲି ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର