ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଚୂଡ଼ାନ୍ତ

୨୫ ଆସନରେ ବିଜେପି, ୨୩ଟିରେ ଶିବସେନା ଲଢ଼ିବ

ମୁମ୍ବାଇ : ବିଜେପି ସହ ମହାରାଷ୍ଟ୍ରରେ ମେଣ୍ଟ ଶାସନ କରିବା ସତ୍ତ୍ବେ ଦୀର୍ଘ ୩ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ଅନବରତ କଡ଼ା ସମାଲୋଚନା କରି ଆସିଥିବା ଶିବସେନା ଦଳ ଶେଷରେ ଆଗାମୀ ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ କରିବ ବୋଲି ସ୍ପଷ୍ଟ ହୋଇଛି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ତେବେ ଗତଥର ଲୋକସଭା ନିର୍ବାଚନ ପାଇଁ ଶିବସେନା ଭାଗରେ ପଡ଼ିଥିବା ଆସନ ସଂଖ୍ୟା ଅପେକ୍ଷା ଏଥର ଗୋଟିଏ ଅଧିକ ମିଳିଛି।
ବିଜେପି ଅଧ୍ୟକ୍ଷ ଶାହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ସୋମବାର ସନ୍ଧ୍ୟାରେ ସମ୍ବୋଧିତ କରିଥିବା ସାମ୍ବାଦିକ ସମ୍ମିଳନୀର ତଥ୍ୟାନୁଯାୟୀ, ରାଜ୍ୟର ମୋଟ ୪୮ଟି ଲୋକସଭା ଆସନ ମଧ୍ୟରୁ ଚଳିତବର୍ଷ ନିର୍ବାଚନରେ ବିଜେପି ୨୫ଟିରେ ଏବଂ ଶିବସେନା ୨୩ଟିରେ ପ୍ରତିଦ୍ବନ୍ଦ୍ବିତା କରିବ। ସୂବନା ଥାଉ କି, ୨୦୧୪ ନିର୍ବାଚନରେ ଏହି ସଂଖ୍ୟା ଯଥାକ୍ରମେ ୨୬ ଓ ୨୨ ରହିଥିଲା। ଏଥିରୁ ଶିବସେନା ପ୍ରତି ବିଜେପି ନରମ ଆଭିମୁଖ୍ୟ ପୋଷଣ କରିଥିବା ରାଜନୈତିକ ମହଲର ମତ। ଅପରପକ୍ଷେ, ଦୁଇ ଦଳ ମଧ୍ୟରେ କିଛି ମତପାର୍ଥକ୍ୟ ରହିବା ସତ୍ତ୍ବେ ସାମ୍ପ୍ରତିକ ଦୃଷ୍ଟିକୋଣରୁ ଶିବସେନା ସହ ଆସନ ବୁଝାମଣା କରିବାକୁ ତାଙ୍କ ଦଳ(ବିଜେପି) ବାଧ୍ୟ ହେଲା ବୋଲି ଫଡ଼ନାବିସ କହିଛନ୍ତି। ସେହିପରି ବିଧାନସଭା ନିର୍ବାଚନରେ ମୋଟ ୨୮୮ଟି ଆସନରୁ ଦୁଇ ଦଳ ମେଣ୍ଟ ଧର୍ମ ପାଳି ସମାନ ସଂଖ୍ୟକ ଆସନରେ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଛି। ସ୍ମରଣଯୋଗ୍ୟ, ଦୀର୍ଘ ତିନି ଦଶନ୍ଧି ଧରି ଏହି ଦୁଇ ଦଳ ରାଜ୍ୟ ବିଧାନସଭା ପାଇଁ ମେଣ୍ଟ କରି ନିର୍ବାଚନ ଲଢ଼ି ଆସିଥିବା ବେଳେ ୨୦୧୪ ନିର୍ବାଚନରେ ପୃଥକ୍ ଭାବେ ଲଢ଼ିଥିଲେ। ଫଳସ୍ବରୂପ, କାହାକୁ ସଂଖ୍ୟାଗରିଷ୍ଠତା ମିଳିନଥିବା ବେଳେ ବିଜେପି ସର୍ବାଧିକ ୧୨୩ ଏବଂ ଶିବସେନା ୬୩ଟି ଆସନରେ ଜିତିଥିଲା। ତେଣୁ ପରେ ମେଣ୍ଟ କରି ଉଭୟ ଦଳ ମୁଖ୍ୟମନ୍ତ୍ରୀ ଫଡ଼ନାବିସଙ୍କ ନେତୃତ୍ବରେ ରାଜ୍ୟ ଶାସନ ଭାର ସମ୍ଭାଳିଥିଲେ।

ସମ୍ବନ୍ଧିତ ଖବର