ମହାରାଷ୍ଟ୍ରରେ ୨୦୨୧-୨୨ରେ ଭାରତ ତିଆରି ବିଦେଶୀ ମଦର ବିକ୍ରି ୧୭% ବୃଦ୍ଧି ପାଇଛି

ମୁମ୍ବାଇ: କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ୨୦୨୧-୨୨ରେ ମହାରାଷ୍ଟ୍ରରେ ଭାରତ ପ୍ରସ୍ତୁତ ବିଦେଶୀ ମଦ (ଆଇଏମଏଫଏଲ) ବିକ୍ରି ୧୭.୯୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଗୁରୁବାର ଦିନ ରାଜ୍ୟ ରାଜସ୍ୱ ବିଭାଗର ଜଣେ ଅଧିକାରୀ କହିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ସମସ୍ତ ପ୍ରକାରର ମଦ ବିକ୍ରିରେ ୨୦୨୧-୨୨ରେ ବିଭାଗ ଦ୍ୱାରା ଅର୍ଜିତ ରାଜସ୍ୱରେ ୧୩.୯୨ ପ୍ରତିଶତ ବୃଦ୍ଧି ଘଟିଛି।

୨୦୨୧-୨୨ରେ ଅବକାରୀ ବିଭାଗ ୧୭,୧୭୭ କୋଟି ଟଙ୍କାର ରାଜସ୍ୱ ଆୟ କରିଥିଲା, ଯାହା କି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୨,୦୦୦ କୋଟି ଟଙ୍କା ଅଧିକ ଥିଲା। ସେ ସମୟରେ ରାଜ୍ୟ କୋଭିଡ-୧୯ ମହାମାରୀରେ ଗଭୀର ଭାବେ ପ୍ରଭାବିତ ଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି। ସେ କହଛନ୍ତି ଯେ ୨୦୧୯-୨୦ (କୋଭିଡ-୧୯ ପୂର୍ବ ଅବଧି)ରେ ରାଜ୍ୟରେ ୨,୧୦୦ ଲକ୍ଷରୁ ଅଧିକ ବଲ୍କ ଲିଟର ଆଇଏମଏଫଏଲ ବିକ୍ରି ହୋଇଥିଲା, ଯାହା ୨୦୨୦-୨୧ରେ ୧,୯୯୯.୨୫ ଲକ୍ଷ ବଲ୍କ ଲିଟରକୁ ହ୍ରାସ ପାଇଥିଲା।

ତେବେ, ୨୦୨୧-୨୨ରେ ଆଇଏମଏଫଏଲ ବିକ୍ରି ବୃଦ୍ଧି ପାଇଛି, କାରଣ ରାଜ୍ୟ ଅବକାରୀ ବିଭାଗ ଆଇଏମଏଫଏଲ ବର୍ଗରେ ୨,୩୫୮.୬୦ ଲକ୍ଷ ବଲ୍କ ଲିଟର ବିଦେଶୀ ମଦ ବିକ୍ରି କରିଥିବା ରେକର୍ଡ କରିଛି ବୋଲି ସେ କହିଛନ୍ତି। ୨୦୨୦-୨୧ରେ ଆଇଏମଏଫଏଲ ବିକ୍ରୟ ହ୍ରାସ ହେବାର କାରଣ ପଛରେ ଦାୟୀ ଥିଲା କୋଭିଡ ମହାମାରୀ ଏବଂ ପରବର୍ତ୍ତୀ ଲକଡାଉନ୍‌। ତେବେ ଜୁଲାଇ ପରବର୍ତ୍ତୀ ୨୦୨୧-୨୨ରେ କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆରମ୍ଭ ହୋଇଥିବାରୁ ଆଇଏମଏଫଏଲର ବିକ୍ରି ବୃଦ୍ଧି ପାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ରାଜସ୍ୱ ଦୃଷ୍ଟିରୁ ୨୦୨୧-୨୨ରେ ସାମଗ୍ରିକ ମଦ ବିକ୍ରି (ଆଇଏମଏଫଏଲ, ଦେଶୀ ମଦ, ବିୟର ଏବଂ ଓ୍ଵାଇନ)ରେ ଅର୍ଜିତ ମୋଟ ରାଜସ୍ୱ ୧୫,୦୭୮.୨୫ କୋଟି ଟଙ୍କା ତୁଳନାରେ ୧୭,୧୭୭.୧୯ କୋଟି ଟଙ୍କା ହୋଇଥିବାରୁ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧-୨୨ରେ ବିୟର, ଦେଶୀ ମଦ ଏବଂ ଓ୍ଵାଇନ ବିକ୍ରିରେ ଯଥାକ୍ରମେ ୧୪.୯୫ ପ୍ରତିଶତ, ୮.୫୭ ପ୍ରତିଶତ ଏବଂ ୨୧.୭୫ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ତଥ୍ୟରେ ଦର୍ଶାଯାଇଛି।

ପୁଣେ ହୋଟେଲ ମାଲିକ ସଂଘର ସଭାପତି ଗଣେଶ ସେଟ୍ଟୀ କହିଛନ୍ତି ଯେ ଯେହେତୁ ପରିସ୍ଥିତି ଏବେ ସ୍ୱାଭାବିକ ହେଉଛି, ଗ୍ରାହକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ଏବଂ ଗତ କିଛି ମାସ ମଧ୍ୟରେ ମଦ ବିକ୍ରି ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର