ଧାରାବୀ ରଣନୀତି ପାଇଁ ମହାରାଷ୍ଟ୍ରକୁ କେନ୍ଦ୍ରର ପ୍ରଶଂସା

ନୂଆଦିଲ୍ଲୀ: ଏସିଆର ସବୁଠୁ ବଡ଼ ବସ୍ତି ଧାରାବୀ। ମୁମ୍ବାଇ ସହରରେ ଥିବା ଏହି ବସ୍ତି ମୁମ୍ବାଇ ପାଇଁ ବେଶ୍‌ ଚିନ୍ତାଜନକ ଥିଲା। କିନ୍ତୁ ଧାରାବୀରେ କରୋନା ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର ସରକାରଙ୍କ ରଣନୀତି ଖୁବ୍‌ ଭଲ କାମ ଦେଇଛି। ସଠିକ୍‌ ପଦକ୍ଷେପ ଦ୍ବାରା ଧାରାବୀ‌ରେ କରୋନା ନିୟନ୍ତ୍ରଣ କରିହୋଇଛି। ବିଏମ୍‌ସି ଦ୍ବାରା ଯେଉଁ ପଦକ୍ଷେପ ନିଆଯାଇଛି ‌ସେଥିଯୋଗୁଁ ଧାରାବୀରେ ସଂକ୍ରମଣ ବୃଦ୍ଧିହାର ମେ’ ମାସରେ ୪.୩ ପ୍ରତିଶତରୁ ଜୁନ୍‌ରେ ୧.୦୨ ପ୍ରତିଶତକୁ କମିଯାଇଛି। ଧାରାବୀରେ ‌ଗତ ମେ’ରେ ସଂକ୍ରମଣ ମାମଲା ୪୩ ଥିବାବେଳେ ଜୁନ୍‌ ତୃତୀୟ ସପ୍ତାହରେ ଏହା ୧୯ରେ ରହିଛି। ତେବେ ଧାରାବୀର କୋଭିଡ୍‌ ନିୟନ୍ତ୍ରଣକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି।

ଉଲ୍ଲେଖଯୋଗ୍ୟ ଏପ୍ରିଲ୍‌ରେ ଧାରାବୀରେ ୧୨ ପ୍ରତିଶତ ସଂକ୍ରମଣ ବୃଦ୍ଧିହାର ସହ ମାମଲା ୪୯୧ ଥିଲା। ଏହି ସମୟରେ ମାମଲା ଦ୍ବିଗୁଣା ହେବା ସମୟ ୧୮ ଦିନ ଥିଲା। ତେବେ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯିବା ଯୋଗୁଁ ମେ’ ମାସରେ ଧାରାବୀରେ ମାମଲା ଦୁଇଗୁଣା ହେବାପାଇଁ ୪୩ ଦିନ ଲାଗିଥିଲା ଏବଂ ଜୁନ୍‌ରେ ଏହା ୭୮ ଦିନ ଲାଗିଲା। ତେବେ ଏତେବଡ଼ ବସ୍ତିରେ ଭାଇରସ୍‌ ନିୟନ୍ତ୍ରଣ କରିବା ଏତେ ସହଜ ନୁହେଁ କାରଣ ଏଠାରେ ୮୦ ପ୍ରତିଶତ ଲୋକ ଗୋଷ୍ଠୀ ଶୌଚାଳୟ ଉପରେ ନିର୍ଭରଶୀଳ। ଗୋଟିଏ ଛୋଟ ଘରେ ପ୍ରାୟ ୮-୧୦ ଜଣ ଲୋକ ରହନ୍ତି। ଏଠାରେ ସାମାଜିକ ଦୂରତା ଅବଲମ୍ବନ କରିବା ବି ସେତେ ସହଜ ନୁ‌ହେଁ। ବିଭିନ୍ନ ଚ୍ୟାଲେଂଜ ସତ୍ତ୍ବେ ଧାରାବୀରେ କରୋନାକୁ ନିୟନ୍ତ୍ରଣ କରିହୋଇଥିବାରୁ ‌କେନ୍ଦ୍ର ସରକାର ଏନେଇ ମହାରାଷ୍ଟ୍ର ସରକାରଙ୍କୁ ଉଚ୍ଚ ପ୍ରଶଂସା‌ କରିଛନ୍ତି।

ସମ୍ବନ୍ଧିତ ଖବର