କୋଭିଡ୍‌ କଟକଣାକୁ ଆହୁରି କୋହଳ କଲେ ମହାରାଷ୍ଟ୍ର ସରକାର, ଗୁରୁବାରଠାରୁ ଚାଲିବ ମୁମ୍ବାଇ ମେଟ୍ରୋ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି କୋହଳ କରିଛନ୍ତି । ଆସନ୍ତା କାଲିଠାରୁ ମୁମ୍ବାଇରେ ମେଟ୍ରୋ ରେଳ ଚଳାଚଳକୁ ଅନୁମତି ଦିଆଯାଇଛି । ତେବେ ମେଟ୍ରୋ ସେବା ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯିବ ।

ଏକ ଲକଡାଉନ କଟକଣା କୋହଳ ପ୍ରକ୍ରିୟାକୁ ମହାରାଷ୍ଟ୍ର ସରକାର ‘ପୁନଃ ଆରମ୍ଭ’ ନାମ ଦେଇଛନ୍ତି । ଏହା ଅନୁସାରେ ରାଜ୍ୟରେ ସାପ୍ତାହିକ ହାଟ, ପାଠାଗାର, ବ୍ୟବସାୟିକ ପ୍ରଦର୍ଶନୀ ଆୟୋଜନକୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଦୋକାନଗୁଡ଼ିକ ପାଇଁ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ଆଉ ଟିକିଏ କୋହଳ କରାଯାଇଛି । ଆସନ୍ତା ଗୁରୁବାରଠାରୁ ଦୋକାନଗୁଡ଼ିକୁ ରାତି ୯ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯିବ ।
ଏହାଛଡ଼ା ଏୟାରପୋର୍ଟ ଓ ରେଳଷ୍ଟେସନ ଦେଇ ଆସିଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା ଓ ସେମାନଙ୍କ ହାତରେ ଷ୍ଟାମ୍ପ ମାରିବା କାର୍ଯ୍ୟକୁ ବନ୍ଦ କରାଯାଇଛି । ତେବେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଅନ୍ୟପକ୍ଷରେ, ରାଜ୍ୟରେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ।

ଚଳିତ ମାସ ଆରମ୍ଭରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନଲକ ୫.୦ ଗାଇଡଲାଇନ ଅନୁସାରେ ମହାରାଷ୍ଟ୍ର ସରକାର କେତେକ କଟକଣା ସହ ରାଜ୍ୟରେ ରେସ୍ତୋରାଁ ଓ ବାରଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଥିଲେ ।

ସମ୍ବନ୍ଧିତ ଖବର