ମୁମ୍ବାଇ: ମହାରାଷ୍ଟ୍ରରେ ଅର୍ଥନୈତିକ ଅନଗ୍ରସର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ‘ଲଡ଼କୀ ବହିନ୍‌’ ଯୋଜନା ଅଧୀନରେ ୧୪ ହଜାରରୁ ଅଧିକ ପୁରୁଷ ଜାଲିଆତି କରି ଆର୍ଥିକ ଲାଭ ପାଇଥିବା ଖବର ସାମ୍ନାକୁ ଆସିଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୧ରୁ ୬୫ ବର୍ଷ ବୟସର ଯେଉଁ ମହିଳାଙ୍କ ପରିବାର ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରନ୍ତି ସେମାନଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯାଉଛି। ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ପାଇଁ ବଡ଼ ସଫଳତାର କାରଣ ପାଲଟିଥିଲା।
ମହିଳା ଓ ଶିଶୁ ବିକାଶ ବିଭାଗ  ଦ୍ୱାରା କରାଯାଇଥିବା ଏକ ଅଡିଟ୍‌ରୁ ଜଣାପଡିଛି ଯେ ଅନ୍‌ଲାଇନ ପଞ୍ଜୀକରଣ ବ୍ୟବସ୍ଥାରେ ହେରଫେର କରି ମହିଳା ହିତାଧିକାରୀ ଭାବରେ ୧୪ ହଜାରରୁ ଅଧିକ ପୁରୁଷ ନିଜକୁ ପଞ୍ଜୀକୃତ କରିବାରେ ସଫଳ ହୋଇଛନ୍ତି। ୧୪,୨୯୮ ଜଣ ପୁରୁଷଙ୍କୁ ୨୧.୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି।

Advertisment

ଏହି ଯୋଜନା ଆରମ୍ଭ ହେବାର ପ୍ରାୟ ୧୦ ମାସ ପରେ ଏହି ଜାଲିଆତି ପଦାକୁ ଆସିଛି। ‘ପୁରୁଷମାନେ ଏହି ଯୋଜନାର ହିତାଧିକାରୀ ହେବାର କୌଣସି କାରଣ ନାହିଁ । ଆମେ ସେମାନଙ୍କୁ ଦିଆଯାଇଥିବା ଟଙ୍କା ଆଦାୟ କରିବୁ। ସହଯୋଗ ନକଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି। ଡିସେମ୍ବର ୨୦୨୪ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ଯୋଜନାର ବ୍ୟାପକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଜାନୁଆରିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଆଦିତି ତଟ୍‌କରେ ସଂଶୋଧନମୂଳକ ପଦକ୍ଷେପ ନେବାକୁ ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଥିଲେ ଏବଂ ଫେବ୍ରୁଆରି ସୁଦ୍ଧା ୫ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବ୍ୟବସ୍ଥାରୁ ହଟାଇ ଦିଆଯାଇଥିଲା।