ମହାରାଷ୍ଟ୍ର ରାଜ‌ନୈତିକ ସଙ୍କଟ; ଦଳ ଅଧ୍ୟକ୍ଷ ପଦ ବି ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁହାଁମୁହିଁ ଆଲୋଚନା ପାଇଁ ବିଦ୍ରୋହୀଙ୍କୁ ଆହ୍ବାନ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଘନେଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଫେସବୁକ୍‌ ଲାଇଭ୍‌ ସେସନ୍‌ ଦ୍ବାରା ରାଜ୍ୟବାସୀଙ୍କୁ ଉଦ୍‌‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି, ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ଇସ୍ତଫାପତ୍ର ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଏପରିକି ମୁଁ ଶିବସେନା ଅଧ୍ୟକ୍ଷ ପଦରୁ ମଧ୍ୟ ଭାବେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। କିନ୍ତୁ ବିଦ୍ରୋହୀ ବିଧାୟକମାନେ ଥରେ ମୋ ମୁହଁରେ ଆସି କୁହନ୍ତୁ ଯେ ସେମାନଙ୍କର ମୋ ଉପରେ ଭରସା ନାହିଁ। ଯଦି କୌଣସି ଜଣେ ବି ବିଧାୟକ ମତେ ମୁଖ୍ୟମନ୍ତ୍ରୀ ଭାବେ ଚାହାନ୍ତିନି ତେବେ ମୁଁ ତୁରନ୍ତ ଇସ୍ତଫା ଦେଇଦେବି। ଠାକ୍‌ରେ କହିଛନ୍ତି , ଜଣେ ଶିବ‌ ‌ସୈନିକଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ମୁଖ୍ୟମନ୍ତ୍ରୀ ପଦରେ ଦେଖି‌ଲେ ସେ ଖୁସି ହେବେ। ତେଣୁ ଯାହାକିଛି ମତାନ୍ତର ଅଛି ତାହାର ସମାଧାନ ମୁହାଁମୁହିଁ ଆଲୋଚନା ମାଧ୍ୟମରେ ହେଉ ବୋଲି ଠାକରେ କହିଛନ୍ତି।

ହିନ୍ଦୁତ୍ବଠାରୁ ଶିବସେନା ଅଲଗା ହୋଇପାରିବ ନାହିଁ। ହିନ୍ଦୁତ୍ବ ଆମ ପରିଚୟ ଏବଂ ଆମେ କେବେ ବି ଏହାକୁ ଛାଡ଼ି ପାରିବୁନି ବୋଲି ଠାକରେ କହିଛନ୍ତି। ଠାକରେ କହିଛନ୍ତି, ଅନେକ ଚ୍ୟାଲେଂଜ ସାମ୍ନା କରିଛି, ଏବେ ଆଉ ଅଧିକ କ’ଣ ହେବ। ବାଲସାହେବଙ୍କ ଶିବସୈନିକମାନେ ମୋ ସହ ଥିବା ପର୍ଯ୍ୟନ୍ତ ମୁଁ ଯେକୌଣସି ପ୍ରକାର ଚ୍ୟାଲେଂଜକୁ ସାମ୍ନା କରିପାରିବି । ମୁଖ୍ୟମନ୍ତ୍ରୀ ପଦ ଆସିବ ଏବଂ ଯିବ। ବାସ୍ତବ ସମ୍ପଦ ହେଉଛି ଲୋକମାନଙ୍କର ଭଲପାଇବା। ଗତ ୨ ବର୍ଷ ଭିତରେ ମୁଁ ଲୋକମାନଙ୍କଠାରୁ ଅନେକ ସ୍ନେହ ଶ୍ରଦ୍ଧା ପାଇଥିବାରୁ ନିଜକୁ ଖୁବ୍‌ ଭାଗ୍ୟବାନ ମନେ କରୁଛି। ଠାକରେଙ୍କ ଅନୁଯାୟୀ ଏକନାଥ ସିନ୍ଦେଙ୍କ ସହ ଯାଇଥିବା ବିଧାୟକମାନେ ତାଙ୍କୁ ଫୋନ୍‌ କରିଛନ୍ତି। ସେମାନଙ୍କୁ ବଳପୂର୍ବକ ସି‌ନ୍ଦେଙ୍କ ସହ ନିଆଯାଇଥିବା ସେମାନେ ଦାବି କରିଛନ୍ତି।

ଠାକରେ କହିଛନ୍ତି, ୨୦୧୯ରେ ସମସ୍ତ ୩ଟି ଦଳ ଏକାଠି ହେବାବେଳେ ଶରଦ ପାୱାର ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ବ ନେବାକୁ କହିଥିଲେ। ତାଙ୍କର ପୂର୍ବରୁ କୌଣସି ଅଭିଜ୍ଞତା ନଥିଲା। କିନ୍ତୁ ସେ ଏହି ଦାୟିତ୍ବକୁ ରାଜ୍ୟର ସ୍ବାର୍ଥ ପାଇଁ ହାତକୁ ନେଲେ। ଶରଦ ପାୱାର ଏବଂ ସୋନିଆ ଗାନ୍ଧି ମତେ ବହୁତ ସହଯୋଗ କରିଛନ୍ତି ଏବଂ ସେମାନେ ‌ମୋ ଉପରେ ଭରସା ରଖିଛନ୍ତି ବୋଲି ଠାକରେ କହିଛନ୍ତି। କିନ୍ତୁ ଯେତେବେଳେ ମୋ ନିଜ ଲୋକ ମୋ ଉପରେ ଭରସା କରିପାରୁନାହାନ୍ତି ସେଠି ମୁଁ ଆଉ କ’ଣ କହିବି। ତେବେ ଅସନ୍ତୁଷ୍ଟମାନେ ଯାହା କହିବା କଥା ମୋ ମୁହଁରେ କୁହନ୍ତୁ ବୋଲି ଠାକରେ କହିଛନ୍ତି।

ସମ୍ବନ୍ଧିତ ଖବର