ମହାରାଷ୍ଟ୍ର ରାଜ‌ନୈତିକ ସଙ୍କଟ: ଉଦ୍ଧବ ସରକାର ଟଳମଳ, କର୍ଣ୍ଣାଟକ, ଏମ୍‌ପି ପରି ହେବ କି ?

ଛୋଟ ଦଳର ୨୯ ବିଧାୟକ, ସ୍ବାଧୀନ ପ୍ରାର୍ଥୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ସଙ୍କଟ ଘନେଇଛି। ଶିବସେନା ନେତା ଏକନାଥ ସିନ୍ଦେ ପ୍ରାୟ ୨୨ ବିଧାୟକଙ୍କୁ ଧରି ସୁରଟର ଏକ ହୋଟେଲରେ ଡେରା ପକାଇଥିବା ବେ‌ଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରକୁ ନେଇ ଅନିଶ୍ଚିତତା ଜାରି ରହିଛି। ଏବେ କ୍ଷୁଦ୍ର ଦଳର ୨୯ ବିଧାୟକ ଏବଂ ସ୍ବାଧୀନ ପ୍ରାର୍ଥୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଗୋଟିଏ ଆସନ ଖାଲି ଅଛି। ଶିବସେନା ବିଧାୟକ ରମେଶ ଲାଟ୍‌କେଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ଖାଲି ଅଛି। ତେଣୁ ଯେ କୌଣସି ଦଳ ଏବଂ ‌ମେଣ୍ଟକୁ ସଂଖ୍ୟାଗରିଷ୍ଠତା ପାଇଁ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମହା ବିକାଶ ଅଘାଡ଼ି ସରକାର ୨୦୧୯ ନଭେମ୍ବର ୩୦ରେ ଆସ୍ଥା ଭୋଟ୍‌ ଜିତିଥିଲା। ମେଣ୍ଟ ସପକ୍ଷରେ ୧୬୯ ବିଧାୟକ ଭୋଟ୍‌ ଦେଇଥିଲେ। ଶିବସେନାର ଏବେ ୫୫ ବିଧାୟକ ଥିବାବେଳେ ଏନ୍‌ସିପିର ୫୩ ଏବଂ କଂଗ୍ରେସର ୪୪ ବିଧାୟକ। ଅନ୍ୟପକ୍ଷେ ବିଜେପି ୨୦୧୯ ନିର୍ବାଚନରେ ୧୦୫ ଆସନରେ ଜିତିଥିଲା । କିନ୍ତୁ ଉପନିର୍ବାଚନରେ ପାଣ୍ଢରପୁର ଆସନରେ ଜିତିବା ପରେ ବିଜେପି ଆସନ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଥିଲା। ଗୃହରେ ଏବେ ୧୩ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜେନ୍ଦ୍ର ପାଟିଲ ୟେଦ୍ରାଓକର । ସେ ଶିବସେନା କୋଟାରେ ଏମ୍‌ଭିଏ ସରକାରରେ ଜଣେ ମନ୍ତ୍ରୀ। ସେହିପରି ଶଙ୍କରରାଓ ଗଦାଖ , କ୍ରାନ୍ତିକାରୀ ଶେତକରୀ ପକ୍ଷ ଏବଂ ବଚୁ କାଦୁ ମଧ୍ୟ ଶିବସେନା କୋଟ‌ା‌ରେ ମନ୍ତ୍ରୀ ହୋଇଛନ୍ତି। ପ୍ରହାର ଜନଶକ୍ତି ପାର୍ଟିର ୨ ଜଣ ବିଧାୟକ ଅଛନ୍ତି। ୧୩ ସ୍ବାଧୀନ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ବିଜେପିକୁ ସମର୍ଥନ କରୁଥିବାବେଳେ ୫ ଜଣ ଶିବସେନାକୁ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଏବଂ ଏନ୍‌ସିପିକୁ ଜଣେ ଲେଖାଏଁ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଅଛି।

ଜନସୁରାଜ୍ୟ ଶକ୍ତି ପାର୍ଟିର ବିନୟ କୋଡ଼େ ଏବଂ ରାଷ୍ଟ୍ରୀୟ ସମାଜ ପାର୍ଟିର ରତ୍ନାକର ଗୁଟ୍ଟେ ମଧ୍ୟ ବିଜେପିର ସମର୍ଥକ। ଏହାବାଦ୍‌ ଦେବେନ୍ଦ୍ର ଭୁୟାର (ସ୍ବାଭିମାନୀ ପକ୍ଷ) ଏବଂ ଶ୍ୟାମସୁନ୍ଦର ସିନ୍ଦେ (ପିଡବ୍ଲ୍ୟୁଡି) ଏନ୍‌ସିପିର ସମର୍ଥକ। ଉଲ୍ଲେଖଯୋଗ୍ୟ ନିକଟରେ ମହାରାଷ୍ଟ୍ରରେ ୬ ରାଜ୍ୟସଭା ଆସନରେ ଭୋଟ୍‌ ହୋଇଥିଲା। ଏଆଇଏମ୍‌ଆଇଏମ୍‌ ଏବଂ ସମାଜବାଦୀ ପାର୍ଟିର ୨ ଜଣ ଲେଖାଏଁ ବିଧାୟକ କଂଗ୍ରେସକୁ ସମର୍ଥନ କରିଥିଲେ। ଅନ୍ୟପକ୍ଷେ ବହୁଜନ ବିକାଶ ଅଘାଡ଼ି (ବିଭିଏ)ର ୩ ଜଣ ବି‌ଧାୟକ ବିଜେପିକୁ ସମର୍ଥନ କରିଥିଲେ।

କର୍ଣ୍ଣାଟକ, ଏମ୍‌ପି ପରି ହେବ କି ?

ନୂଆଦିଲ୍ଲୀ: କର୍ଣ୍ଣାଟକ, ମଧ୍ୟପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ପାଇଁ ମଞ୍ଚ ପ୍ରସ୍ତୁତ। ଶିବସେନା ନେତୃତ୍ବାଧୀନ ମହାବିକାଶ ଅଘାଡ଼ି ସରକାରରେ ଦେଖାଦେଇଛି ସଂକଟ। ଶିବସେନା ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେ ସ୍ବାଧୀନଙ୍କ ସମେତ ନିଜ ଦଳର କେତେକ ବିଧାୟକଙ୍କୁ ନେଇ ଅନ୍ତର୍ଧାନ ନାଟକ ରଚନା କରିଛନ୍ତି। ଫଳରେ ଅଡ଼ୁଆରେ ପଡ଼ିଛି ତାଙ୍କ ଦଳ ଓ ଉଦ୍ଧବ ଠାକରେଙ୍କ ସରକାର। ତେବେ ସେନାର ପ୍ରଭାବଶାଳୀ ନେତା ସିନ୍ଦେଙ୍କ ପାଖରେ କେତେଜଣ ‌ବିଧାୟକ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ ଏହି ସଂଖ୍ୟା ୧୧ରୁ ୨୨ ଭିତରେ ହୋଇପାରେ। ରାଜ୍ୟରୁ ଅନ୍ତର୍ଦ୍ଧାନ ହୋଇଥିବା ବିଜେପି-ଶାସିତ ଗୁଜରାଟର ସୁରଟ ସହରର ଏକ ହୋଟେଲରେ ଅଛନ୍ତି। ସେମାନଙ୍କର ଏହି ଠିକଣା କହିଦେଉଛି ଭବିଷ୍ୟତର ରାଜନୈତିକ ଗତିବିଧି କୁଆଡ଼କୁ ଯାଇପାରେ।

ଶିବସେନା ଓ ବିଜେପି ଦୀର୍ଘଦିନର ପୁରୁଣା ବନ୍ଧୁ ହୋଇଥିବା ବେଳେ ଏବେ ସେମାନେ ପରସ୍ପରର ଶତ୍ରୁ ହୋଇଯାଇଛନ୍ତି। ଗତ ବିଧାନସଭା ନିର୍ବାଚନ ପରେ ଶିବସେନା ମୁଖିଆ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ଲୋଭରେ ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ କରିଥିଲେ। ଏନ୍‌ସିପିକୁ ଭାଙ୍ଗିବାକୁ ମଧ୍ୟରାତ୍ର ପ୍ରଚେଷ୍ଟା ବିଫଳ ହେବା ପରେ ସବୁଠୁ ଅଧିକ ଆସନରେ ଜିତି ବି ବିଜେପିକୁ ବିରୋଧୀ ଆସନରେ ବସିବାକୁ ପଡ଼ିଲା। ଗତ ରାଜ୍ୟସଭା ନିର୍ବାଚନରେ ଏମ୍‌ଭିଏ ମେଣ୍ଟ ହାରିବା ପରେ ଜଣାପଡ଼ିଲା ସବୁକିଛି ଠିକ୍‌ଠାକ୍ ନାହିଁ। ଯଥେଷ୍ଟ ସଂଖ୍ୟା ନ ଥାଇ ବି ବିଜେପି ତୃତୀୟ ଆସନଟି ହାତେଇବାରେ ସଫଳ ହୋଇଥିଲା। ଏଥିରୁ କିଛି ଏମ୍‌ଭିଏ ନେତା କ୍ରସ୍-ଭୋଟିଂ କରିଥିବା ସୂଚିତ ହେଉଛି। ଗତକାଲି ହୋଇଥିବା କାଉନ୍‌ସିଲ ନିର୍ବାଚନରେ ପୁଣିଥରେ ବିଜେପି ଶାସକ ମେଣ୍ଟକୁ ପଛରେ ପକାଇ ବାଜିମାତ୍ କରିଥିଲା।

ଏଭଳି ରାଜନୈତିକ ଡ୍ରାମା ନୂଆ ନୁହେଁ। ଦୁଇଟି ରାଜ୍ୟରେ ସଂଖ୍ୟାଖେଳରେ ବିରୋଧୀଙ୍କୁ ପଛରେ ପକାଇ ବିଜେପି ସରକାର ଗଢ଼ି ସମସ୍ତଙ୍କୁ ଚମକାଇ ଦେଇଥିଲା। କର୍ଣ୍ଣାଟକରେ କଂଗ୍ରେସ-ଜେଡି(ଏସ୍‌) ସରକାରରେ ଫାଟ ସୃଷ୍ଟି କରି ବିଜେପି ବିଏସ୍‌ ୟେଦୁରପ୍ପାଙ୍କ ନେତୃତ୍ବରେ ସରକାର ଗଢ଼ିଥିଲା। ପୂର୍ବ ବିଧାନସଭା ନିର୍ବାଚନରେ ବିଜେପି ଏକକ-ସଂଖ୍ୟାଗରିଷ୍ଠ ଦଳ ହୋଇ ବି ସରକାର ଗଢ଼ିପାରି ନ ଥିଲା। ମଧ୍ୟପ୍ରଦେଶରେ କମଳନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରକୁ ଗାଦି ଛାଡ଼ିବାକୁ ପଡ଼ିଥିଲା। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ସମର୍ଥକମାନଙ୍କୁ ନେଇ ଅଚାନକ ବିଦ୍ରୋହ କରିଥିଲେ। ସଂଖ୍ୟାଖେଳରେ ବିଜେପି ଜିତି ସରକାର ଗଢ଼ିଥିଲା। ସିନ୍ଧିଆ ବିଜେପିରେ ଯୋଗ ଦେଲେ ଏବଂ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି।

କିନ୍ତୁ କଂଗ୍ରେସ-ଶାସିତ ରାଜସ୍ଥାନରେ ବରିଷ୍ଠ ନେତା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରି ଏମିତି ଏକ ଅନ୍ତର୍ଦ୍ଧାନ ନାଟକ ରଚନା କରିଥିଲେ ମଧ୍ୟ କଂଗ୍ରେସ ସମୟୋଚିତ ରଣନୀତି ଦ୍ବାରା ସରକାରକୁ ବଞ୍ଚେଇ ରଖିବାରେ ସଫଳ ହୋଇଥିଲା। ଏବେ ମହାରାଷ୍ଟ୍ରରେ ଦେଖାଦେଇଛି ଅନୁରୂପ ରାଜନୈତିକ ସଂକଟ। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଶିବସେନା ନେତୃତ୍ବାଧୀନ ମେଣ୍ଟ ସରକାରକୁ କ୍ଷମତାଚ୍ୟୁତ କରିବାକୁ ବସିଛନ୍ତି। ରାଜ୍ୟସଭା ଓ କାଉନ୍‌ସିଲ ନିର୍ବାଚନରେ ଦଳର ବିଜୟ ପାଇଁ ତାଙ୍କୁ ଶ୍ରେୟ ଦିଆଯାଉଛି। ତେବେ ଏଥର ବିଜେପି କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପରି ସଫଳ ହେବ ନା ରାଜସ୍ଥାନ ପରି ବିଫଳ ତାହା ଦେଖିବାକୁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା।

ସମ୍ବନ୍ଧିତ ଖବର