ମହାରାଷ୍ଟ୍ରରେ ଲାଗୁ ହେବ ଗୋଆ ମଡେଲ୍‌

ମୁମ୍ବାଇ : ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ମଙ୍ଗଳବାର ମହାରାଷ୍ଟ୍ରରେ ୧୦୨୬ ନୂଆ ମାମଲା ଚିହ୍ନଟ କରାଯାଇଛି ଏବଂ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା‌ ୨୪ ହଜାର ୪୨୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଖୁବ୍‌ଶୀଘ୍ର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨୫ ହଜାର ଟପିଯିବ ଓ ମୁମ୍ବାଇରେ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଟପିଯିବ। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଠାକ୍‌ରେ କହିଛନ୍ତି ମହାରାଷ୍ଟ୍ରର କିଛି ଜିଲ୍ଲାକୁ କୋଭିଡ୍‌ ମୁକ୍ତ ଗୋଆ ମଡେଲ୍‌ ଆପଣାଇବାକୁ ପଡ଼ିବ। ମହାରାଷ୍ଟ୍ରର ଅତ୍ୟନ୍ତ ପ୍ରଭାବିତ ଜିଲ୍ଲାମାନଙ୍କୁ ଘରକୁ ଘର ବୁଲି ସର୍ବେକ୍ଷଣ କରିବାକୁ ପଡ଼ିବ ଏବଂ ପ୍ରତି ‌ରୋଗୀଙ୍କୁ ଚିକିତ୍ସା କରିବାର ଆବଶ୍ୟକତା ରହିଛି। ଠାକ୍‌ରେ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍‌ବୋଧନ ଦେଇ କେନ୍ଦ୍ରକୁ ସେମାନଙ୍କ ଲକ୍‌ଡାଉନ୍‌ କୋହଳ ସଂକ୍ରାନ୍ତ ଯୋଜନା‌ ଦାଖଲ କରିବାକୁ କହିଛନ୍ତି। ତେବେ ସଂକ୍ରମଣ ଅଧିକ ନବ୍ୟାପିବା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କିଛି ଜିଲ୍ଲା ଗୋଆ ମଡେଲ୍‌ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗୋଆ ମଡେଲ୍‌ରେ ପ୍ରତି ଘରକୁ ଘର ବୁଲି ସର୍ବେକ୍ଷଣ କରାଯିବ। ସଂକ୍ରମଣ ଲକ୍ଷଣ ଥାଉ କି ନଥାଉ, ଅନ୍ୟ କୌଣସି ଥଣ୍ଡା ଜନିତ ତଥା ବର୍ଷା‌ ଦିନିଆ ରୋଗ ପାଇଁ ବି ପରୀକ୍ଷା କରାଯିବ। ବର୍ଷା ଋତୁ ପାଇଁ ସବୁ ପ୍ରକାର ଜଳବାହିତ ରୋଗ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଦ୍ଧବ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର