ମହାରାଷ୍ଟ୍ର କଂଗ୍ରେସକୁ ଶକ୍ତ ଝଟ୍‌କା: ବିରୋଧୀ ଦଳ ନେତା ବିଖେଙ୍କ ଇସ୍ତଫା

ମୁମ୍ବାଇ : ମହାରାଷ୍ଟ୍ର କଂଗ୍ରେସକୁ  ଶକ୍ତ ଝଟ୍‌କା ଲାଗିଛି। କଂଗ୍ରେସର ବରି‌ଷ୍ଠ ନେତା ରାଧାକୃଷ୍ଣ ବିଖେ ପାଟିଲ ଆଜି ମହାରାଷ୍ଟ୍ର ବିଧାନସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। ଆଉ ମାତ୍ର କେଇଟା ଦିନ ପରେ ନିର୍ବାଚନ ଥିବାବେଳେ ଦଳର ପୁରୁଖା ନେତା ଏଭଳି ଗୁରୁତ୍ବପୂର୍ଣ୍ଣ ପଦରୁ ଇସ୍ତଫା ଦେବା ଘଟଣା କଂଗ୍ରେସକୁ ଅଡ଼ୁଆରେ ପକାଇ ଦେଇଛି। ନିକଟ‌ରେ ବିରୋ‌ଧୀ ଦଳ ନେତା ରାଧାକୃଷ୍ଣଙ୍କ ପୁଅ ସୁଜୟ ବିଖେ ପାଟିଲ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ ନୈତିକତା ଦୃଷ୍ଟିକୋଣରୁ ରାଧାକୃଷ୍ଣ ଏହି ପଦ ଛାଡ଼ିଥିବା ସଫେଇ ଦେଇଥିଲେ ହେଁ ନାନା ଗୁଞ୍ଜରଣ ଶୁଣିବାକୁ ମିଳୁଛି। ସେ ତାଙ୍କ ଇସ୍ତଫାପତ୍ର ଦାଖଲ କରି ସାରିଛନ୍ତି ଏବଂ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚୂଡ଼ାନ୍ତ ନିଷ୍ପତ୍ତି ନେ‌ବେ ବୋଲି କୁହାଯାଉଛି।
ସୂଚନା ଥାଉ କି, ସୁଜୟ ଅହମଦନଗର ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଥିଲେ ହେଁ କଂଗ୍ରେସ ସହ ମେଣ୍ଟ କରିଥିବା ଶରଦ ପାୱାରଙ୍କ ଏନ୍‌ସିପି ଏହି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିଲା। ଫଳରେ ସୁଜୟ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ଏହା ପରଠାରୁ ରାଧାକୃଷ୍ଣ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର ଚାଲିଥିଲା। ତେବେ ରାଧାକୃଷ ଆଜି କେବଳ ବିରୋଧୀ ଦଳ ନେତା ପଦରୁ ଇସ୍ତଫା‌ ଦେଇଥିବା ବେଳେ ସେ ମଧ୍ୟ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ, ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ଆଜି ରାଧାକୃଷ୍ଣଙ୍କୁ ଦଳରେ ଯୋଗ ଦେବା ପାଇଁ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର