ମୁମ୍ବାଇ : ଶିବ ସେନାରେ ବିଦ୍ରୋହ ଯୋଗୁଁ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଆଜି ମଧ୍ୟ ଜାରି ରହିଛି। ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପ୍ରତି ସମର୍ଥନ ବଢ଼ି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସହାୟ ହୋଇପଡ଼ିଛନ୍ତି। କେବଳ ବିଧାୟକ ନୁହନ୍ତି, ଅନେକ ଦଳୀୟ ସାଂସଦ ମଧ୍ୟ ବିଦ୍ରୋହୀ ଶିବିରରେ ସାମିଲ ହେବାରେ ଲାଗିଛନ୍ତି। ଶରଦ ପାୱାରଙ୍କ ଏନ୍ସିପି ଏବଂ କଂଗ୍ରେସ ଠାକରେଙ୍କୁ ଦୃଢ଼ ସମର୍ଥନ ଜଣାଇଥିଲେ ମଧ୍ୟ ଶୀଘ୍ର ତାଙ୍କ ହାତରୁ କ୍ଷମତା ଖସିଯିବ ବୋଲି ଠାକରେ ଜାଣି ସାରିଲେଣି। ତେଣୁ ଆଜି ତାଙ୍କର ଗୋଷ୍ଠୀ କୋହଳ ଆଭିମୁଖ୍ୟ ଗ୍ରହଣ କରିଛି। ବିଦ୍ରୋହୀମାନେ ମୁମ୍ବାଇ ଫେରିଲେ ଏନ୍ସିପି ଏବଂ କଂଗ୍ରେସ ସହ ମେଣ୍ଟରୁ ଓହରିଯିବାକୁ ସେନା ପ୍ରସ୍ତୁତ ବୋଲି ପାର୍ଟିର ବରିଷ୍ଠ ନେତା ତଥା ମୁଖପାତ୍ର ସଂଜୟ ରାଉତ କହିଛନ୍ତି।
ସଂଜୟଙ୍କ ଏଭଳି ବିବୃତି ଶାସକ ମେଣ୍ଟ (ମହା ବିକାଶ ଅଘାଡ଼ି)ରେ ଅସନ୍ତୋଷ ସୃଷ୍ଟି କରିଛି। କଂଗ୍ରେସ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ସଂଜୟ କହିଥିଲେ ଯେ ବିଦ୍ରୋହୀ ନେତାମାନେ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଫେରି ସେମାନଙ୍କ ସମସ୍ୟା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରନ୍ତୁ। କଥାବାର୍ତ୍ତା ପାଇଁ ଏବେ ବି ଦ୍ବାର ଖୋଲା ଅଛି। ଆମେ ତୁମମାନଙ୍କ ଦାବି ଉପରେ ବିଚାର କରିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଫେରିବାକୁ ହେବ। ସେ ଦାବି କରିଥିଲେ ଯେ ଏକନାଥ ସିନ୍ଦେଙ୍କ ଶିବିରର ୨୦ ବିଧାୟକଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି। ଯେଉଁମାନେ ଇଡି ଚାପରେ ଦଳ ଛାଡୁଛନ୍ତି ସେମାନେ ବାଲସାହେବ ଠାକ୍ରେଙ୍କ ବାସ୍ତବ ଅନୁଗାମୀ ନୁହନ୍ତି।
/sambad/media/post_attachments/wp-content/uploads/2022/06/maharasta-c1-300x169.jpg)
ତେବେ ବିଦ୍ରୋହୀମାନେ ତାଙ୍କ ପ୍ରସ୍ତାବ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଅନ୍ୟପକ୍ଷରେ ସେମାନେ ଗୌହାଟୀର ଏକ ହୋଟେଲରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଗୋଷ୍ଠୀରେ ସେନାର ୪୦ ଜଣ ବିଧାୟକ ଥିବା ଦାବି କରିଛନ୍ତି। ସେମାନେ ସିନ୍ଦେଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି। ଯାହା ଜଣାପଡ଼ୁଛି ବିଦ୍ରୋହୀମାନେ ଠାକରେଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ନୁହନ୍ତି। ଗତକାଲି ସେମାନେ ଦାବି କରିଥିଲେ ଯେ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟରୁ ଶିବ ସେନା ଓହରିଯାଉ।
ଇତିମଧ୍ୟରେ ମହାରାଷ୍ଟ୍ରରେ ଶାସକ ମେଣ୍ଟର ସହଯୋଗୀମାନେ ଉଦ୍ଧବ ଠାକ୍ରେଙ୍କୁ ସମର୍ଥନ କରିଥିବା କହିଛନ୍ତି। ଏକ ଟ୍ବିଟ୍ କରି ଏନ୍ସିପି ନେତା ଜୟନ୍ତ ପାଟିଲ କହିଛନ୍ତି, ତାଙ୍କ ଦଳ ଶେଷ ପର୍ଯ୍ୟନ୍ତ ଠାକରେଙ୍କ ସହ ରହିବ। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଛନ୍ତି, ତାଙ୍କ ଦଳ ଆସ୍ଥା ଭୋଟ୍ ପାଇଁ ପ୍ରସ୍ତୁତ ଅଛି ଏବଂ ବିଜେପିକୁ ଅଟକାଇବାପାଇଁ ଶିବସେନା ସହ ତାଙ୍କ ଦଳ ରହିବାକୁ ପ୍ରସ୍ତୁତ। କିନ୍ତୁ ଯଦି ଶିବସେନା ଅନ୍ୟ କୌଣସି ଦଳ ସହ ମେଣ୍ଟ କରେ ଏଥିରେ ତାଙ୍କର କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।
ଏବେ ମିଳିଥିବା ଖବର ଅନୁଯାୟୀ ବିଦ୍ରୋହୀ ଗୋଷ୍ଠୀର ୧୨ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଶିବ ସେନା ଆଜି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି। ଏଥିରେ କୁହାଯାଇଛି ଏହି ବିଧାୟକମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ଏହି ବିଧାୟକମାନଙ୍କ ମଧ୍ୟରେ ସିନ୍ଦେ ମଧ୍ୟ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଶିବସେନାର ୩୭ ଜଣ ବିଦ୍ରୋହୀ ବିଧାୟକ ରାଜ୍ୟପାଳ ଏବଂ ବାଚସ୍ପତିଙ୍କୁ ଚିଠିଲେଖି ଏକନାଥ ସିନ୍ଦେଙ୍କୁ ସେମାନେ ବିଧାୟକ ଦଳ ନେତା ନିର୍ବାଚିତ କରିଥିବା ଜଣାଇଛନ୍ତି।