ମହାରାଷ୍ଟ୍ର : ମୁଖ୍ୟମନ୍ତ୍ରୀ, ବିଧାୟକଙ୍କ ଦରମା ୬୦% କମିଲା, ସରକାରୀ ଅଧିକାରୀଙ୍କ ଦରମା ୫୦% ହ୍ରାସ

ମୁମ୍ବାଇ : ସମଗ୍ର ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨ ଶହ ଟପିଯାଇଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟର ସରକାରୀ କର୍ମଚାରୀ ଓ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜନପ୍ରତିନିଧିମାନଙ୍କ ମାର୍ଚ୍ଚମାସର ଦରମା କାଟ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକମାନଙ୍କ ଦରମା ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ସରକାରୀ କର୍ମଚାରୀଙ୍କ ମଧ୍ୟରୁ ଗ୍ରୁପ-ଏ ଓ ଗ୍ରୁପ-ବି ଅଧିକାରୀଙ୍କ ଦରମା ୫୦ ପ୍ରତିଶତ ହ୍ରାସ କରାଯାଇଛି । ଗ୍ରୁପ-ସି କର୍ମଚାରୀଙ୍କ ଦରମା ୨୫ ପ୍ରତିଶତ ହ୍ରାସ କରାଯାଇଛି ।

ତେବେ ଗ୍ରୁପ-ଡି ବା ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ହ୍ରାସ କରାଯାଇନାହିଁ ବୋଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ସୂଚନା ଦେଇଛନ୍ତି । କେବଳ ମାର୍ଚ୍ଚ ମାସ ପାଇଁ ଏହି ଦରମାକାଟ ଲାଗୁ ହେବ ବୋଲି ଜଣାପଡ଼ିଛି । ମହାରାଷ୍ଟ୍ର ସରକାର ଆଉ ଏକ ନିଷ୍ପତ୍ତି ନେଇ ଆସନ୍ତା ୫ ବର୍ଷ ପାଇଁ ବିଦ୍ୟୁତ ଶୁଳକ ୮% ହ୍ରାସ କରିଛନ୍ତି । ଏହା ଦ୍ୱାରା ସାଧାରଣ ଉପଭୋକ୍ତା ଉପକୃତ ହେବେ ।

ସମ୍ବନ୍ଧିତ ଖବର