ମହାରାଷ୍ଟ୍ର ନିର୍ବାଚନ: ବିଜେପି-ଶିବସେନା ମେଣ୍ଟର ଆନୁଷ୍ଠାନିକ ଘୋଷଣା, ବିଦ୍ରୋହୀ ପ୍ରାର୍ଥୀଙ୍କୁ କଡ଼ା ଚେତାବନୀ

ବଢ଼ିଲା କଂଗ୍ରେସ ସଙ୍କଟ, ଦଳ ବିରୋଧରେ ଗର୍ଜିଲେ ନିରୁପମ

ମୁମ୍ବାଇ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କ୍ଷମତାସୀନ ବିଜେପି ଏବଂ ଶିବସେନା ଆଜି ମେଣ୍ଟ ଗଠନ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର ମେଣ୍ଟ ଏବଂ ଆସନ ସ୍ଥିତି ନେଇ ଘୋଷଣା କରିଛନ୍ତି। ନୂଆ ଫର୍ମୁଲା ଅନୁଯାୟୀ ବିଜେପି ୧୫୦ ଏବଂ ଶିବସେନା ୧୨୪ ଆସନରେ ନିର୍ବାଚନ ଲଢ଼ିବ। ଏହି ଅବସରରେ ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ଫଡ଼ନାଭିସ କହିଥିଲେ ଯେ ବିଜେପି-ଶିବସେନା ମେଣ୍ଟ ପ୍ରତି ଲୋକଙ୍କ ବିପୁଳ ସମର୍ଥନ ରହିଛି ଏବଂ ଏଥର ମେଣ୍ଟକୁ ବଡ଼ ବିଜୟ ମିଳିବ। ମହାରାଷ୍ଟ୍ରର ବିକାଶ ହିଁ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ। ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାକୁ କୁହାଯିବ ଏବଂ ‌ଯେଉଁମାନେ ଏହାକୁ ଅମାନ୍ୟ କରିବେ ସେମାନଙ୍କୁ ମେଣ୍ଟର କୌଣସି ଦଳରେ ମଧ୍ୟ ସ୍ଥାନ ମିଳିବ ନାହିଁ ବୋଲି ଫଡ଼ନାଭିସ ଚେତାବନୀ ଦେଇଥିଲେ। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତାଇବାକୁ ଫଡ଼ନାଭିସ ଆହ୍ବାନ ଦେଇଥିଲେ।

ବଢ଼ିଲା କଂଗ୍ରେସ ସଙ୍କଟ, ଦଳ ବିରୋଧରେ ଗର୍ଜିଲେ ନିରୁପମ
ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ମୁମ୍ବାଇରେ କଂ‌‌ଗ୍ରେସ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କଂଗ୍ରେସ ନେତା ସଂଜୟ ନିରୁପମ ଗତକାଲି ଏକ ଟ୍ବିଟ୍‌ କରି ଦଳ ପାଇଁ ପ୍ରଚାର କରିବେନି ବୋଲି କହିଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ନେତୃତ୍ବ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିରୁପମ ଆଜି କହିଛନ୍ତି, ଯେଉଁ ଢଙ୍ଗ‌ରେ ପ୍ରାର୍ଥୀ ଚୟନ କରାଯାଇଛି ତା’ଦ୍ବାରା କଂଗ୍ରେସ ମୁମ୍ବାଇର ୩-୪ଟି ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନ‌‌ରେ ହାରିବ। ଦଳୀୟ ‌ନେତୃତ୍ବ ବାସ୍ତବତା ବୁଝୁନାହାନ୍ତି। କୌଣସି ପରାମର୍ଶ ନେଉନାହାନ୍ତି କି ତୃଣମୂଳ କର୍ମୀଙ୍କ କଥାକୁ ବି କର୍ଣ୍ଣପାତ କରୁନାହାନ୍ତି। ନିରୁପମ ଦାବି କରିଛନ୍ତି ଯେ କଂଗ୍ରେସ ବିଶ୍ବସ୍ତ ନେତାମାନଙ୍କୁ ଅଣଦେଖା କରୁଛି ଏବଂ କେତେକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଆଇସିସିରେ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି। ପୂର୍ବତନ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନିରୁପମ କହିଛନ୍ତି, ଯଦି ଦଳ ମଧ୍ୟରେ ଏଭଳି କାର୍ଯ୍ୟ ଜାରି ରହିବ ତେବେ ସେ ଦଳ ଛାଡ଼ିଦେବେ। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ନିରୁପମଙ୍କୁ କୁହାଯାଇଛି ଯେ ସେ ତାଙ୍କ ଷଡ଼ଯନ୍ତ୍ର ଥିଓରି ବନ୍ଦ କରି ଶୃଙ୍ଖଳା ଭିତରେ ରହିବା ଉଚିତ।

ସମ୍ବନ୍ଧିତ ଖବର