ମହାରାଷ୍ଟ୍ର ରାଜନୀତି: ମାନୁନି ଶିବସେନା, ସରକାର ଗଠନ ଚିତ୍ର ଅସ୍ପଷ୍ଟ

ଏକନାଥ ସିନ୍ଧେ ବିଧାୟକ ଦଳ ନେତା ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି-ଶିବସେନା ମଧ୍ୟରେ ସହମତି ହୋଇପାରୁ ନଥିବାରୁ ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ଜିଦ୍‌ରେ ଅଟଳ ରହିବା ସହ ପରସ୍ପର ବିରୋଧରେ ବୟାନ ଜାରି ରଖିଥିବାରୁ ସରକାର ଗଠନ ନେଇ ସ୍ଥିତି ଆଜି ମଧ୍ୟ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଆଜି ଶିବସେନାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି ଏକନାଥ ସିନ୍ଧେଙ୍କୁ ନେତା ନିର୍ବାଚିତ କରାଯାଇଛି। ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ନିର୍ବାଚନ ଜିତିଥିବା ଆଦିତ୍ୟ ଠାକ୍‌ରେଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯିବ। କିନ୍ତୁ ଶିବସେନା ତା’ର ରଣନୀତି ବଦଳାଇ ସିନ୍ଧେଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି।

ଆଜି ଶିବସେନାର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି ଯେ ୫୦-୫୦ ଫର୍ମୁଲା ଆଧାରରେ ହିଁ ସରକାର ଗଠନ ହେବ । ଶିବସେନା ପାଖରେ ମଧ୍ୟ ସରକାର ଗଠନ ପାଇଁ ବିକଳ୍ପ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି। ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଧେ କହିଛନ୍ତି ଯେ ସରକାର ଗଠନର ସମସ୍ତ ଅଧିକାର ଦଳ ସୁପ୍ରିମୋ ଉଦ୍ଧବ ଠାକ୍‌ରେଙ୍କୁ ଦିଆଯାଇଛି ଏବଂ ଉଚିତ ସମୟରେ ସେ ଏ ବାବଦରେ ନିଷ୍ପତ୍ତି ନେବେ। ଆଜି ଶିବସେନାର ଏକ ପ୍ରତିନିଧି ଦଳ ଆଦିତ୍ୟ ଠାକ୍‌ରେଙ୍କ ନେତୃତ୍ବରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ମରୁଡ଼ି ସ୍ଥିତିର ମୁକାବିଲା ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଶିବସେନାକୁ ମନାଇବା ପାଇଁ ରାଜ୍ୟ ବିଜେପି ନେତାଙ୍କ ପ୍ରୟାସ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ବାଦ୍‌ ଦେଇ ଶିବସେନା ତା’ର ଅନ୍ୟ ଦାବି ରଖିବାକୁ କୁହାଯାଇଛି। ଶିବସେନାକୁ ରାଜ୍ୟରେ ୮ଟି କ୍ୟାବିନେଟ୍‌ ପଦବି ଏବଂ କେନ୍ଦ୍ରରେ ଶିବସେନାରୁ ଆଉ ଜଣଙ୍କୁ ମନ୍ତ୍ରୀ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ସେନା ବିଜେପିର ଏହି ପ୍ରସ୍ତାବ ନେଇ କୌଣସି ଜବାବ ଦେଇନାହିଁ।

ସମ୍ବନ୍ଧିତ ଖବର