ମହାରାଷ୍ଟ୍ରରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ବଢିଲା

ମୁମ୍ବାଇ : ମହାରାଷ୍ଟ୍ର ସରକାର ଲକଡାଉନକୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଅଣ-ଅତ୍ୟାବଶ୍ୟକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ଲଗାଇବାକୁ ସରକାର ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ।

ତେବେ ଅତ୍ୟାବଶ୍ୟକ କାର୍ଯ୍ୟ ଯଥା ସ୍ୱାସ୍ଥ୍ୟ ସେବା ଆଦିକୁ ଅନୁମତି ଦିଆଯିବ । ଜରୁରୀ ସେବା ଯୋଗାଉଥିବା ସରକାରୀ ବିଭାଗ ଯଥା ସ୍ୱାସ୍ଥ୍ୟ ବିଭାଗ, ପୁଲିସ, ବିପର୍ଯ୍ୟୟ ପରିଚାଳନା ବିଭାଗ, ବ୍ୟାଙ୍କ, ପୌରସଂସ୍ଥା, ପ୍ରଶାସନିକ ଅଫିସ ଆଦି ଖୋଲା ରହିବ । ଅଣଜରୁରୀ ସରକାରୀ ଅଫିସଗୁଡ଼ିକ ୧୫ ପ୍ରତିଶତ କର୍ମଚାରୀ ବା ୧୫ ଜଣ କର୍ମଚାରୀ (ଯେଉଁଟି ଅଧିକ)ଙ୍କୁ ନେଇ ଚାଲିପାରିବ । ଘରୋଇ କମ୍ପାନିର ଅଫିସଗୁଡ଼ିକ ୧୦ ପ୍ରତିଶତ କର୍ମଚାରୀ ବା ୧୦ ଜଣ କର୍ମଚାରୀ (ଯେଉଁଟି ଅଧିକ)ଙ୍କୁ ନେଇ ଚାଲିପାରିବ ।

ଦେଶରେ ଗତ ମାର୍ଚ୍ଚ ୨୫ରୁ ଲକଡାଉନ ଚାଲିଥିଲେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଆଜି ମୋଟ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୪୮ ହଜାର ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୧୬୪୭୫ ରେ ଓ ଆରୋଗ୍ୟ ସଂଖ୍ୟା ୩.୨୧ ଲକ୍ଷରେ ପହଞ୍ଚିଛି । ମହାରାଷ୍ଟ୍ର ଦେଶରେ ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇ ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧.୬୪ ଲକ୍ଷ ରହିଛି । ଏହା ମଧ୍ୟରୁ ମୃତ୍ୟୁସଂଖ୍ୟା ୭୪୨୯ ଓ ସକ୍ରିୟ ସଂକ୍ରମଣ ସଂଖ୍ୟା ୭୦୬୨୨ ରହିଛି ।

ସମ୍ବନ୍ଧିତ ଖବର