ମହାରାଷ୍ଟ୍ର ଓ ଗୋଆରେ କେରଳ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ : ପରିବେଶବିତ୍‌ଙ୍କ ଆଶଙ୍କା

ପୁନେ: ଦେଶର ଜଣାଶୁଣା ପରିବେଶବିତ୍‌ ମାଧବ ଗାଡ଼ଗିଲ୍‌ ମହାରାଷ୍ଟ୍ର ଓ ଗୋଆରେ କେରଳ ଭଳି ପରିସ୍ଥିତି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏ ନେଇ ୨୦୧୧ ମସିହାରୁ ପଶ୍ଚିମଘାଟ ପର୍ବତମାଳା ଉପରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ କମିଟି ଏକ ରିପୋର୍ଟ ପ୍ରଦାନ କରିଥିଲେ ବି ସେ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେ କହିଛନ୍ତି କେରଳରେ ବର୍ଷାର ପରିମାଣ ଅଧିକ କିନ୍ତୁ ମହାରାଷ୍ଟ୍ର ଓ ଗୋଆରେ ବର୍ଷା ସ୍ଥିତି ସେଭଳି ନୁହେଁ। ତେବେ ଏହି ଦୁଇ ରାଜ୍ୟରେ ବ୍ୟାପକ ନିର୍ମାଣ କାର୍ଯ୍ୟ ହେଉଥିବାରୁ ସେଠାରେ ଭୂସ୍ଖଳନ ଏବଂ କୃତିମ ବନ୍ୟା ହୋଇପାରେ। ୨୦୧୪ ମସିହାରେ ପୁନେର ମାଲିନ୍‌ରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଏହି କାରଣରୁ ଘଟିଥିଲା ବୋଲି ଗାଡ଼ଗିଲ୍‌ ଦର୍ଶାଇଛନ୍ତି।

କେରଳରେ ବର୍ଷା ବିତ୍ପାତ ଫଳରେ ଦେଖାଯାଇଥିବା ବନ୍ୟାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହିଛନ୍ତି ସେ । ପରିବେଶବିତ ଗାଡ଼ଗିଲ୍‌ ବ୍ୟାପକ ନିର୍ମାଣ କାର୍ଯ୍ୟ ଓ ଖଣି ଖନନ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଯୁକ୍ତି ବାଢ଼ିଛନ୍ତି। ମହାରାଷ୍ଟ୍ରର ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲାରେ ଏଭଳି ପାରିବେଶିକ ସମସ୍ୟା ରହିଥିଲେ ମଧ୍ୟ ଏହାର ସମାଧାନ ଲାଗି ସରକାର ଯତ୍ନବାନ୍‌ ନୁହନ୍ତି। ପଶ୍ଚିମଘାଟ ପର୍ବତମାଳା ବିଶେଷଜ୍ଞ କମିଟିର ସୁପାରିସ ଉପରେ ରାଜ୍ୟ ସରକାରମାନେ ପଦକ୍ଷେପ ନେଇ ନ ଥିବାରୁ ଏପରି ଅବସ୍ଥା ଦେଖାଦେଇଛି।

ସମ୍ବନ୍ଧିତ ଖବର