ମହାରାଷ୍ଟ୍ର ରାଜନୀତି : ଶିବସେନା ସହିତ ହାତ ମିଳାଇବ କଂଗ୍ରେସ

ଶିବସେନାର ଆଗୁଆ ସତର୍କତା ପଦକ୍ଷେପ : ସବୁ ବିଧାୟକଙ୍କୁ ୩ ଦିନ ପାଇଁ ‘ମାତୋଶ୍ରୀ’କୁ ଡକାଇଲା, ଆଧାର କାର୍ଡ ସହ ଆସିବାକୁ କୁହାଗଲା

ମିଳିତ ସରକାର ଗଠନ ପାଇଁ ସୋନିଆଙ୍କ ମଂଜୁରି
ମୁଖ୍ୟମନ୍ତ୍ରୀ ପଦକୁ ନେଇ ମନ୍ଥନ ଜାରି
ପାୱାରଙ୍କ ବାସଭବନରେ କଂଗ୍ରେସ-ଏନ୍‌ସିପି ବୈଠକ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଚାଲିଥିବା ରାଜନୈତିକ ଛକାପଂଝା ଭିତରେ ଆଜି ଆଜି ଶିବସେନା ପାଇଁ କଂଗ୍ରେସ ଦଳ ଆଶ୍ବସ୍ତି ଆଣିଛି। ଶିବସେନା ସହିତ ମିଶି ରାଜ୍ୟରେ ସରକାର ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଂଜୁରି ଦେଇଛନ୍ତି। ଏନ୍‌ସିପି ନେତା ମଜିଦ୍‌ ମେନନ୍‌ କହିଛନ୍ତି ଯେ ସୋନିଆ ଗାନ୍ଧୀ ଶିବସେନା ସହିତ ମିଶି ସରକାର ଗଠନ ପାଇଁ ପ୍ରସ୍ତାବକୁ ମଂଜୁରି ଦେଇଥିବାରୁ ଏବେ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନର ଅବସାନ ଘଟାଇବା ପାଇଁ କଂଗ୍ରେସ-ଏନ୍‌ସିପି-ଶିବସେନା ହାତ ମିଳାଇଛନ୍ତି ଏବଂ ସରକାର ଗଠନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରୂପ ନେବ ବୋଲି ସେ କହିଛନ୍ତି।

ସରକାର ଗଠନ ଆଲୋଚନା ପାଇଁ ଆଜି ଦିଲ୍ଲୀରେ କଂଗ୍ରେସ ଏବଂ ଏନ୍‌ସିପି ନେତାଙ୍କ ବୈଠକ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଏଥିରେ କଂଗ୍ରେସ ନେତା ଅହମଦ ପଟେଲ, ମଲ୍ଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ, ପୃଥ୍ବୀରାଜ ଚୌହାନ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ, ଛଗନ ଭୁଜବଳ, ଅଜିତ ପାୱାର ଏବଂ ନୱାମ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଏକ ସ୍ଥାୟୀ ସରକାର ଗଠନ ଦିଗରେ ଗୁରୁତ୍ବାରୋପ କରିଥିଳେ।

କଂଗ୍ରେସ-ଏନ୍‌ସିପିର ଏହି ବୈଠକ ଉପରେ ମହାରାଷ୍ଟ୍ରରେ ସରକାର ଗଠନର ଭାଗ୍ୟ ନିର୍ଭର କରୁଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ। ସୋନିଆ ଗାନ୍ଧୀ ଶିବସେନା ସହିତ ମେଣ୍ଟ ପାଇଁ ମଂଜୁରି ଦେବା ଏ ଦିଗରେ ଏକ ବଡ଼ ସକାରତ୍ମକ ପଦକ୍ଷେପ ବୋଲି ରାଉତ କହିଛନ୍ତି। ସୋମବାର ଦିନ ପାୱାର ସୋନିଆଙ୍କୁ ଭେଟିବା ପରେ ହିଁ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ୩ ଦଳ ମଧ୍ୟରେ ବିବାଦ ଲାଗି ରହିଥିବା ଜଣାପଡ଼ିଛି। ଏନ୍‌ସିପି ଅଢ଼େଇ ବର୍ଷ ଲେଖାଏଁ ପାଳିରେ ମୁଖ୍ୟମନ୍ତ୍ରୀ ପଦ ଦିଆଯିବାକୁ ସର୍ତ୍ତ ରଖିଥିବା ବେଳେ ଏ ନେଇ ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ। ଶିବସେନା ପାଳିରେ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଚାହୁନଥିବା ଜଣାପଡ଼ିଛି।

ଶିବସେନାର ଆଗୁଆ ସତର୍କତା ପଦକ୍ଷେପ : ସବୁ ବିଧାୟକଙ୍କୁ ୩ ଦିନ ପାଇଁ ‘ମାତୋଶ୍ରୀ’କୁ ଡକାଇଲା, ଆଧାର କାର୍ଡ ସହ ଆସିବାକୁ କୁହାଗଲା

ମୁମ୍ବାଇ : ଆଜି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଶିବସେନା ନେତାଙ୍କୁ ସାଂଗରେ ନନେଇ ଏକା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଶିବସେନା ଛାନିଆ ହୋଇପଡ଼ିଛି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେଙ୍କ ଦଳର ସମସ୍ତ ୫୬ ବିଧାୟକଙ୍କୁ ନିଜ ବାସଭବନ ‘ମାତ୍ରୋଶ୍ରୀ’କୁ ୨/୩ ଦିନ ପାଇଁ ଡକାଇଛନ୍ତି। ବିଧାୟକମାନେ ସେମାନଙ୍କ ଆଧାର କାର୍ଡ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସହ ଆସିବାକୁ କୁହାଯାଇଛି। ବିଧାୟକମାନେ ୨୨ ତାରିଖ ଦିନ ପହଞ୍ଚିବା ପାଇଁ ଏବଂ ସେଠାରେ ସେମାନେ ୨୪ ତାରିଖ ରାତି ପର୍ଯ୍ୟନ୍ତ ରହିବା ଯୋଜନା ହୋଇଛି। ମହାରାଷ୍ଟ୍ରରେ ସରକାର ଗଠନ ନେଇ ସ୍ଥିତି ଅସ୍ପଷ୍ଟ ରହିଥିବା ବେଳେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ଆଶଙ୍କା କରି ଶିବସେନା ଏଭଳି ପଦକ୍ଷେପ ନେଇଛି। ସରକାର ଗଠନ ପାଇଁ କଂଗ୍ରେସର ସମର୍ଥନ ସତ୍ତ୍ବେ ଶିବସେନା ନିଜ ବିଧାୟକଙ୍କ ମଧ୍ୟରେ ବିଭାଜନ ଆଶଙ୍କା କରୁଛି। ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାରୁ କେତେବେଳେ କିଛି ବି ନିଷ୍ପତ୍ତି ନେଇପାରନ୍ତି ବୋଲି ଶିବସେନା ଆଶଙ୍କା କରୁଛି। କଂଗ୍ରେସ ସହ ମେଣ୍ଟ ନେଇ ଶିବସେନାର ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାରୁ ସେନା ସୁପ୍ରିମୋ ଏବେ ଏହାକୁ ରୋକିବା ପାଇଁ ଏଭଳି ସତର୍କତା ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର