ମୁମ୍ବାଇ : ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ସପ୍ତାହ ହୋଇଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି । ସେପଟେ ନୂଆ ବିଧାନସଭା ଗଠନ ଲାଗି ସମୟ ମଧ୍ୟ ସରିଆସୁଛି । କାରଣ ଚଳିତ ବିଧାନସଭାର ମିଆଦ ଆସନ୍ତା ୮ ତାରିଖରେ ସମାପ୍ତ ହେଉଛି । ଏଣୁ ୮ ତାରିଖ ସୁଦ୍ଧା ନୂଆ ବିଧାନସଭା ଗଠନ ହେବା ଆବଶ୍ୟକ । କିନ୍ତୁ ସମୟ ସରିଆସୁଥିଲେ ମଧ୍ୟ ଅଚଳାବସ୍ଥାର ଅବସାନ ହେଉନାହିଁ ।
ଏହି ଅଚଳାବସ୍ଥାର କେନ୍ଦ୍ରରେ ରହିଛି ଶିବସେନା । କାରଣ ଶିବେସେନା ଗୋଟିଏ ପଟେ ବିଜେପି ସହିତ କଥାବାର୍ତ୍ତା କରୁଥିବାବେଳେ ଅନ୍ୟପଟେ ଏନସିପି-କଂଗ୍ରେସ ସହ କଥାବାର୍ତ୍ତା ଚଳାଇଛି । ଆଜି ଏନସିପି ତରଫରୁ ଶିବସେନାକୁ ଏକ ନୂଆ ପ୍ରସ୍ତାବ ଦିଆଯାଇଛି । ଏନସିପି ମୁଖ୍ୟ ଶରଦ ପଓ୍ଵାର କହିଛନ୍ତି ଯେ ଯଦି ଶିବସେନା ଏନଡିଏରୁ ବାହାରି ଯାଏ ତେବେ ରାଜ୍ୟରେ ତାକୁ ସମର୍ଥନ ଦିଆଯିବ । ଆହୁରି ମଧ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ଥିବା ଶିବସେନା ଏମପି ଅରବିନ୍ଦ ସାଓ୍ଵନ୍ତ ଇସ୍ତଫା ଦେବାପରେ ହିଁ ସମର୍ଥନ ଦିଆଯିବ ବୋଲି ପାଓ୍ଵାର କହିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଅନ୍ୟଏକ ଖବର ଅନୁସାରେ ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ଆଲୋଚନା ଆରମ୍ଭ ହୋଇଛି । ଶିବସେନାକୁ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବିଜେପି ବିଚାର କରୁଥିବା ଶିବସେନା ନେତା ସଂଜୟ ରାଉତ ଦାବି କରିଛନ୍ତି ।