ମୁମ୍ବାଇ : ମହାରାଷ୍ଟ୍ରର ରାଜନୀତି ଉପରେ ଏବେ ପୂରା ଦେଶର ନଜର ରହିଛି। ଗତକାଲି ଅଜିତ ପାୱାରଙ୍କ ଘର ବାହୁଡ଼ାକୁ ନେଇ ଏବେ ସବୁଠି ସରଗରମ ଚର୍ଚ୍ଚା। ତେବେ ଏଥିରେ ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା। ଅଜିତ ବିଜେପି ସହିତ ହାତ ମିଳାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମଧ୍ୟ ଶରଦ ପାୱାର ତାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇନଥିଲେ କି ଦଳରୁ ହଟାଇବା କଥା କହିନଥିଲେ। ପାୱାର ଏଭଳି ଚାଲ୍ ଖେଳିଥିଲେ ଯାହାକି ରାଜ୍ୟ ରାଜନୀତିର ସବୁ ଚାଲ୍କୁ ବଦଳାଇ ଦେଇଥିଲା । ମହାରାଷ୍ଟର ରାଜନୈତିକ ଦୁର୍ଗ ଜିତିବା ପାଇଁ ଅନେକ ଛକାପଂଝା ପରେ ପାୱାର ହିଁ ନିଜକୁ ପ୍ରକୃତ ବସ୍ ବୋଲି ପ୍ରମାଣିତ କରିଥିଲେ। ଅଜିତ ପାୱାର ବିଜେପି ସହିତ ହାତ ମିଳାଇବାଠାରୁ ଆରମ୍ଭ କରି ତାଙ୍କର ଘର ବାହୁଡ଼ା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ଏକ ସୁଚିନ୍ତିତ ଚାଲ୍ ଥିଲା ଏବଂ ଶରଦ୍ ପାୱାରଙ୍କ କଥାରେ ହିଁ ଅଜିତ ଗୋଟି ଚାଳନା କରିଥିଲେ ବୋଲି ଏବେ କୁହାଯାଉଛି। ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ଶରଦ୍ ପାୱାର ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି କହୁଥିଲେ ମଧ୍ୟ ଏହା ପଛରେ ଏକ ଯୋଜନାବଦ୍ଧ ରଣନୀତି କାମ କରିଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଅଜିତ ପାୱାରଙ୍କୁ ନେଇ ଘଟିଥିବା ସଂପୂର୍ଣ୍ଣ ଘଟଣାକ୍ରମ ପ୍ରଥମେ ଦଳ ବିରୋଧରେ ଏକ ବିଦ୍ରୋହ ବୋଲି ଧରାଯାଇଥିଲା। ପରବର୍ତ୍ତୀ ସମୟରେ ଯେଭଳି ରାଜନୀତି ଦେଖିବାକୁ ମିଳିଲା ସେଥିରୁ ଏହା କେବଳ ଏକ ରାଜନୈତିକ ଚାଲ୍ ଥିବା ନେଇ ବହୁ ତଥ୍ୟ ସାମ୍ନାକୁ ଆସିଲା। ଅଜିତ ବିଜେପି ସହିତ ହାତ ମିଳାଇବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଦଳର ପ୍ରାୟ ସମସ୍ତ ବିଧାୟକ ଏକ୍ଜୁଟ ରହିଥିବା ଶରଦ ପ୍ରମାଣିତ କରିଥିଲେ ଏବଂ ଶିବସେନା ନେତୃତ୍ବରେ ହିଁ ମିଳିତ ସରକାର ଗଠନ ହେବ ବୋଲି ଦୃଢ଼ ଘୋଷଣା କରିଥିଲେ। ଏହାପରେ ଅଜିତ ପାୱାର କୌଣସି ବିଧାୟକଙ୍କୁ ନିଜ ପଟକୁ ଆଣିବା ପାଇଁ ପ୍ରୟାସ କରିଥିବା ନଜିର୍ ନାହିଁ। ଗତକାଲି ଅଜିତ ପାୱାର ଇସ୍ତଫା ଦେବାପରେ ବିନା କୌଣସି ଦଳୀୟ କିମ୍ବା ପାରିବାରିକ କନ୍ଦଳରେ ତାଙ୍କୁ ଯେଭଳି ସ୍ବାଗତ କରାଗଲା ତାହା ମଧ୍ୟ ଉଲ୍ଲେଖନୀୟ। ଏବେ ଅଜିତ୍ ପାୱାର ଶିବସେନା-କଂଗ୍ରେସ-ଏନ୍ସିପି ସରକାରରେ ବଡ଼ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିଜେପିର ସବୁ ଯୋଜନାକୁ ପଣ୍ଡ କରି ଅଜିତ ଘର ବାହୁଡ଼ା କରିଥିବାରୁ ଏଥିରେ ଶରଦ ପାୱାରଙ୍କ ଭୂମିକା ହିଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।