ମହାରାଷ୍ଟ୍ରରେ ପାୱାରପଲିଟିକ୍ସ

ମୁମ୍ବାଇ : ବିଭିନ୍ନ କାରଣରୁ ମହାରାଷ୍ଟ୍ର ରାଜନୀତି ହେଉ କି ଦିଲ୍ଲୀ ରାଜନୀତି ଶରଦ ପାୱାର ସର୍ବଦା ଚର୍ଚାରେ ରହି ଆସିଛନ୍ତି। ଏବେ ମହାରାଷ୍ଟ୍ରରେ ଯେଉଁ ରାଜନୈତିକ ବିବାଦ ସୃଷ୍ଟି ହୋଇଛି ଏଥିରେ ପାୱାରଙ୍କ ଭୂମିକାକୁ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭ କଲେଣି। ବିଜେପି ସହ ଶିବ ସେନା ସଂପର୍କ ଚ୍ଛିନ୍ନ କରିବା ପରଠାରୁ ଚର୍ଚାର କେନ୍ଦ୍ରବିନ୍ଦୁ‌ରେ ପାୱାର ହିଁ ରହି ଆସିଛନ୍ତି। ସରକାର ଗଠନରେ ଶିବ ‌ସେନାକୁ ସମର୍ଥନ କରିବା ପରିବର୍ତେ ବିରୋଧୀ ଦଳରେ ରହିବାକୁ ପ୍ରଥମେ ଘୋଷଣା କରିଥିଲେ ପାୱାର। ତେବେ ଶିବ ସେନା ତାଙ୍କର ଶରଣ ପଶିବା ପରେ ପାୱାର ତାଙ୍କର ଖେଳ ଆରମ୍ଭ କରିଥିଲେ। କଂଗ୍ରେସକୁ ନେଇ ଶିବ ସେନା ସହିତ ମେଣ୍ଟ ସରକାର ଗଠନ ପାଇଁ ସେ ଆଲୋଚନା କରିଥିଲେ। ଏହି ପ୍ରକ୍ରିୟା ଚାଲିଥିବା ବେଳେ ୭ ଦିନ ତଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ସାକ୍ଷାତ ଆଲୋଚନା ହୋଇଥିଲା। ଏହାପରେ ଶିବ ସେନା ସହିତ ଆଲୋଚନା ପ୍ରକ୍ରିୟା ମନ୍ଥର ହୋଇଯାଇଥିଲା। କଂଗ୍ରେସ ସହିତ କଥାବାର୍ତା ଆଳରେ ସେ ଶିବ ସେନାକୁ ଝୁଲାଇ ରଖିଲେ। ବିଜେପିକୁ ସମର୍ଥନ ଦେବା ବଦଳରେ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ମୋଦୀ କୁଆଡ଼େ ପ୍ରସ୍ତାବ ଦେଇଥିଲେ ବୋଲି ଚର୍ଚା ଜୋର ଧରିଲା।

ତେବେ କିଛି ଦିନ ପରେ ଶିବ ସେନା ସହିତ ପୁଣି କଥାବାର୍ତା ପ୍ରକ୍ରିୟାକୁ ଜୋରଦାର କରିଥିଲେ ପାୱାର। ୨୨ ତାରିଖ ରାତିରେ ମୁମ୍ବାଇରେ ଏନସିପି, କଂଗ୍ରେସ ଓ ଶିବ ସେନା ନେତାମାନଙ୍କର ମିଳିତ ବୈଠକରେ ସରକାର ଗଠନ ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦିଆଯାଇଥିଲା। ବୈଠକ ପରେ ପାୱାର ଘୋଷଣା କରିଥିଲେ ଯେ ଉଦ୍ଧବ ଠାକରେ ହିଁ ହେବେ ମୁଖ୍ୟମନନ୍ତ୍ରୀ। କିନ୍ତୁ ରାତାରାତି ତାଙ୍କର ପୁତୁରା ତଥା ଏନସିପି ବିଧାୟକ ଦଳର ନେତା ଅଜିତ ପାୱାର ବିଜେପି ସହ ହାତ ମିଳାଇ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଇଦେଲେ। ଅଜିତଙ୍କ ଏଭଳି କାର୍ଯ୍ୟକୁ ଶରଦ ପାୱାର ସମାଲୋଚନା କରିବା ସହିତ ତାଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଇଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ ଅଜିତଙ୍କୁ ମନାଇବା ଲାଗି ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସେ ତାଙ୍କ ଦଳର ଦୁଇ ଜଣ ବିଧାୟକଙ୍କୁ ଅଜିତଙ୍କ ପାଖକୁ ପଠାଇଥିଲେ। ଏହି ସମୟରେ ବିଜେପିର ଜଣେ ସାଂସଦ ଆଜି ପାୱାରଙ୍କୁ ଭେଟି ଅଧ ଘଣ୍ଟା ଧରି ଆଲୋଚନା କରିଥିଲେ। ବିଦ୍ରୋହ ସତ୍ତ୍ବେ ଅଜିତଙ୍କ ପ୍ରତି ନରମ ମନୋଭାବ ଏବଂ ବିଜେପି ନେତାଙ୍କ ସହିତ ପାୱାରଙ୍କ ଆଲୋଚନା ବିଭ୍ରାନ୍ତି ସୃଷ୍ଟି କରିଛି। ଶିବ ସେନାକୁ ସମର୍ଥନ ଘୋଷଣା କରିଥିବା ପାୱାରଙ୍କ ମ‌ନ ଭିତରେ ଏବେ କଣ ଚାଲିଛି ତାହାକୁ କେହି ଠଉରାଇ ପାରୁ ନାହାନ୍ତି। ଶିବ ସେନା ନେତା ସଂଜୟ ରାଉତ ଠିକ୍ କହିଥିଲେ, ‘ପାୱାରଙ୍କୁ ବୁଝିବାକୁ ‌ହେଲେ ଶହେ ଥର ଜନ୍ମ ନେବାକୁ ପଡ଼ିବ।’ କେତେକ ରାଜନୈତିକ ପର୍ଯ୍ୟବେକ୍ଷକ କହିଛନ୍ତି ଯେ ସୁପ୍ରିମ କୋର୍ଟ ରାୟ ଉପରେ ସମସ୍ତଙ୍କର ଆଖି ଥିଲେ ମଧ୍ୟ ପାୱାର ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।

ସମ୍ବନ୍ଧିତ ଖବର