ଶିବସେନା ନରମୁଛି, ତଥାପି ଅନିଶ୍ଚିତତା

ଫଡନାଭିସ୍‌ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ

ଖୁବ୍‌ଶୀଘ୍ର ବିଜେପି-ସେନା ମେଣ୍ଟ ସରକାର
ଶିବସେନା ବିଧାୟକ ଦଳ ବୈଠକ ଆଜି
ଅଜିତ ପାୱାର ଏନ୍‌ସିପି ବିଧାୟକ ଦଳ ନେତା ନିର୍ବାଚିତ

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନିଶ୍ଚିତତା ଭିତରେ ଆଜି ବିଜେପି-ଶିବସେନା ସଂପର୍କରେ କିଛି ସୁଧାର ଦେଖିବାକୁ ମିଳିଛି। ବିଜେପି ବିଧାୟକ ଦଳ ବୈଠକ ଆଜି ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଛି। ଏହି ଅବସରରେ ଫଡନାଭିସ ରାଜ୍ୟରେ ବିଜେପି-ଶିବସେନା ମେଣ୍ଟର ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ମଧ୍ୟ ତାଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟରେ ଖୁବ୍‌ଶୀଘ୍ର ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବ ଏବଂ ଏଥିପାଇଁ ରାଜ୍ୟବାସୀ ଆମକୁ ବିପୁଳ ସମର୍ଥନ ଦେଇଛନ୍ତି ବୋଲି ଫଡନାଭିସ୍‌ କହିଛନ୍ତି। ସରକାର ଗଠନକୁ ନେଇ କାହା ମନରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଫଡନାଭିସ୍‌ଙ୍କ ଏହି ବୟାନ ପରେ ସରକାର ଗଠନ ନେଇ ଲାଗି ରହିଥିବା ଅନିଶ୍ଚିତତା ଖୁବ୍‌ଶୀଘ୍ର ଦୂର ହେବ ବୋଲି ଆଶା କରାଯାଉଛି। ଏବେ ଶିବସେନାର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି। ଆଜି ସେନାର ମୁଖପତ୍ର ‘ସାମନା’ରେ ପ୍ରକାଶିତ ସଂପାଦକୀୟରେ ବିଜେପି-ଶିବସେନା ମେଣ୍ଟକୁ ହିଁ ସରକାର ଗଠନ ପାଇଁ ଲୋକେ ଜନାଦେଶ ଦେଇଛନ୍ତି ବୋଲି କୁହାଯାଇଛି । ଆଜି ସେନାର ବରିଷ୍ଠ ନେତାମାନେ ଉଦ୍ଧବ ଠାକ୍‌ରେଙ୍କ ବାସଭବନରେ ମିଳିତ ହୋଇ ସରକାର ଗଠନ ନେଇ ଆଲୋଚନା କରିଛନ୍ତି। ଆସନ୍ତାକାଲି ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚିତ କରାଯିବ ବୋଲି ଜଣାପଡ଼ିଛି। ଆଜି ଏନ୍‌ସିପି ବିଧାୟକ ଦଳର ବୈଠକ ମଧ୍ୟ ହୋଇଥିଲା ଏବଂ ଅଜିତ ପାୱାର ନେତା ନିର୍ବାଚିତ ହୋଇଥିଲେ। ବିଧାୟକ ଦଳ ନେତା ନିର୍ବାଚିତ ହେବାପରେ ପାୱାର କହିଛନ୍ତି ଯେ ଶିବସେନାକୁ ଏନ୍‌ସିପି ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ ଏବଂ ଦଳ ବିରୋଧୀ ଆସନରେ ବସିବାକୁ ନିଷ୍ପତ୍ତି ନେଇଛି।

ଶିବସେନାର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏ ପର୍ଯ୍ୟନ୍ତ ସରକାର ଗଠନ ପାଇଁ ବିଜେପି ସଭାପତି ଅମିତ ଶାହଙ୍କଠାରୁ ଉଦ୍ଧବଙ୍କ ପାଖକୁ କୌଣସି ଫୋନ୍‌ ଆସିନାହିଁ। ଆମେ ବିଜେପିର ପଦକ୍ଷେପକୁ ଅପେକ୍ଷା କରିଛୁ। ବିଜେପି ଆସନ ଦୃଷ୍ଟିରୁ ଆମକୁ ହାଲ୍‌କା ଭାବେ ଗ୍ରହଣ କଲେ ଚଳିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିଜେପି ୧୫୦ ଆସନରେ ନିର୍ବାଚନ ଲଢ଼ି ୧୦୫ ଆସନ ହାସଲ କରିଛି। ଅନ୍ୟପକ୍ଷରେ ଶିବସେନା ୧୨୪ ଆସନରେ ପ୍ରତିଦ୍ବନ୍ଦ୍ବିତା କରି ୫୬ ଆସନ ପାଇଛି। ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୨୨ ଏବଂ ଶିବସେନାକୁ ୬୩ ଆସନ ମିଳିଥିଲା।

ସମ୍ବନ୍ଧିତ ଖବର