ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା,ଏନସିପି ଓ କଂଗ୍ରେସର ମିଳିତ ସରକାର ଗଠନଲାଗି ପ୍ରସ୍ତୁତି ଚୂଡାନ୍ତ ସ୍ତରରେ ପହଞ୍ଚିଛି । ଏହା ସହିତ ମନ୍ତ୍ରପଦ ଭାଗ ନେଇ ବିଗତ କିଛି ଦିନ ଧରି ଚାଲିଥିବା ମତଭେଦର ଆପାତତଃ ଅବସାନ ହୋଇଛି । ଆଜି ଶିବସେନା ମୁଖ୍ୟ ତଥା ଭାବି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର ଓ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସହ ଆଲୋଚନା କରିବା ପରେ ଭାଙ୍ଗ ଛିଣ୍ଡିଛି । ହୋଇଥିବା ନିଷ୍ପତ୍ତି ଅନୁସାରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ସହ ୧୫ଟି ମନ୍ତ୍ରୀପଦ ପାଇବ ।

Advertisment

ଏନସିପି ଉପ-ମୁଖ୍ୟମନ୍ତ୍ରୀ ପଦ ସହ ୧୩ଟି ମନ୍ତ୍ରୀପଦ ପାଇବ । କଂଗ୍ରେସ ବାଚସ୍ପତି ପଦ ସହ ୧୩ଟି ମନ୍ତ୍ରୀପଦ ପାଇବ । ପୂର୍ବରୁ ଖବର ଆସିଥିଲା ଯେ କଂଗ୍ରେସର ମଧ୍ୟ ଜଣେ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇବେ । କିନ୍ତୁ ଦଳ ବାଚସ୍ପତି ପଦରେ ସନ୍ତୁଷ୍ଟ ହୋଇଥିବା ଖବର ହସ୍ତଗତ ହୋଇଛି । ଅନ୍ୟପକ୍ଷରେ ମନ୍ତ୍ରୀପଦ ଭାଗବଣ୍ଟା ଚୂଡାନ୍ତ ହୋଇଥିଲେ ମଧ୍ୟ ଆଗକୁ ଆଉ ଏକ ବଡ଼ ସମସ୍ୟା ରହିଛି । ତାହା ହେଉଛି କିଏ କେଉଁ ବିଭାଗ ପାଇବ । ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପରେ ବିଭାଗ ବଣ୍ଟନ କରାଯିବ । ତାପୂର୍ବରୁ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି ।