ମହାରାଷ୍ଟ୍ର ମହିଳାଙ୍କ ୯ ବର୍ଷର ସଂଘର୍ଷ: ଅପହରଣ, ବିକ୍ରି ପରେ ଗଣଦୁଷ୍କର୍ମ

ଯମୁନାନଗର: ହରିୟାଣାର ଯମୁନାନଗର ଜିଲ୍ଲାରେ ଘଟିଥିବା ଅତି ଭୟଙ୍କର ଘଟଣା ଏବେ ଲୋକଲୋଚନକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଦୀର୍ଘ ୯ ବର୍ଷ ଧରି ଅକଥନୀୟ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ଉକ୍ତ ମହିଳାଙ୍କ ଘର ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ। ୨୦୧୦ରେ ତାଙ୍କୁ ଜାହ୍ନବୀ ନାମ୍ନୀ ଜଣେ ମହିଳା ଏକ ମନ୍ଦିରରୁ ଅପହରଣ କରିଥିଲେ। ପରେ ସେ ତାଙ୍କୁ ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ସପ୍ନା ନାମ୍ନୀ ମହିଳାଙ୍କୁ ବିକ୍ରି କରିଦେଇଥିଲେ। ସେହି ୧୩ ବର୍ଷର ନାବାଳିକା ଏବେ ୨୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଦୀର୍ଘ ୯ ବର୍ଷ ମଧ୍ୟରେ ସେ ୪ ଥର ବିକ୍ରି ହୋଇଛନ୍ତି ଏବଂ ୭ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୨ଟି ପିଲାର ମା’ ମଧ୍ୟ ହୋଇ ସାରିଛନ୍ତି। ସପ୍ନା ତାଙ୍କୁ ପୁଣିଥରେ ୫୦,୦୦୦ ଟଙ୍କାରେ ବିକିଦେବାପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ଏଥର ସପ୍ନାଙ୍କ ଯୋଜନା ବିଫଳ ହେଲା। ପୀଡ଼ିତା ମହିଳାଙ୍କୁ କିଛି ସାମାଜିକ କର୍ମୀ ଗତ ୨୭ ତାରିଖରେ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ଉଦ୍ଧାର ପରେ ସେ ଯମୁନାନଗର ମହିଳା ଥାନାରେ ଅଭିଯୋଗ ଦ‌ାଏର କରିଛନ୍ତି। ଉକ୍ତ ଘଟଣାରେ ୧୦ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ‌ହୋଇଛି। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଜୁନୀତା ଓରଫ୍‌ ସପ୍ନା, ସପ୍ନାର ପୁଅ ବିକି, ଝିଅ ନିକି, ଫତେହାବାଦ୍‌ ଜିଲ୍ଲାର ଧର୍ମବୀର, ଧର୍ମବୀରର ଭାଇ କ୍ରୀଷ୍ଣା ଶେଓରାନ୍‌, ରାକେଶ କୁମାର ଏବଂ ଧର୍ମବୀରର ମା’ କମଳା ଦେବୀ, ଫତେହବାଦ୍‌ର ଜୟ ସିଂହ , ସୁନିଲ ଓରଫ୍‌ ସୋନୁ ଏବଂ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଜାହ୍ନବୀ ଅଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ପଡ଼ୋଶୀ ଜାହ୍ନବୀ ନାମ୍ନୀ ଜଣେ ମହିଳା ଏକ ମନ୍ଦିରରୁ ତାଙ୍କୁ ଅପହରଣ କରିନେଇଥିଲେ। ସେ ତାଙ୍କୁ ଅମ୍ବାଲାର ନାରୟଣଗଡ଼ ବ୍ଲକ୍‌ ଅଧୀନ ଗଡ଼ି ଗ୍ରାମକୁ ନେଇଥିଲା।। ସେଠାରେ ସେ ତାଙ୍କୁ ୧ ଲକ୍ଷ ଟଙ୍କାରେ ସପ୍ନା ନାମ୍ନୀ ହିମାଚଳର ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିଲା।। ପୀଡ଼ିତାଙ୍କୁ ସପ୍ନା ହିମାଚଳ ନେଇଯାଇଥିଲା। ପରେ ସେ ତାକୁ କର୍ନଲ୍‌ ନେଇ ୪ ଜଣଙ୍କ ହାତକୁ ଟେକି ଦେଇଥିଲା। ସେମାନଙ୍କ ଦ୍ବାରା ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଇଦିନ ପରେ ପୁଣି ସପ୍ନା ତାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାରେ ବିକିଥିଲା। ସେଠାରେ ୨୦ ଦିନ ରହିବାପରେ ସପ୍ନା ତାଙ୍କୁ ପୁଣିଥରେ ହିମାଚଳ ଆଣି ୨୦,୦୦୦ ଟଙ୍କାରେ ଗଢ଼ି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥି‌ଲା। ସେଠାରେ ସେ ୭ ଦିନ ପାଇଁ ରହିଥିଲେ ଏବଂ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ସପ୍ନା ପୁଣିଥରେ ମହିଳାଙ୍କୁ ୧.୫ ଲକ୍ଷ ଟଙ୍କାରେ ଫତେହବାଦ୍‌ ଜିଲ୍ଲା ଅଧୀନସ୍ଥ ବନୱାଲି ଗ୍ରାମର ଧର୍ମବୀର ନାମକ ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିଲେ। ଏହାପରେ ସପ୍ନାକୁ ହତ୍ୟା ମାମଲାରେ ୭ ବର୍ଷ ଜେଲ୍‌ଦଣ୍ଡ ‌ହୋଇଥିଲା। ତେଣୁ ସେହି ୭ ବର୍ଷ ପୀଡ଼ିତା ମହିଳା ଜଣଙ୍କ ଧର୍ମବୀରଙ୍କ ସହ ରହିଥିଲେ ଏବଂ ୨ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେଠାରେ ସେ ଧର୍ମବୀରର ୩ ଭାଇ ଦ୍ବାରା ମଧ୍ୟ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। ଧର୍ମବୀରଙ୍କ ମା’ ତାଙ୍କୁ ଅନେକ ସମୟରେ ମାଡ଼ ମାରନ୍ତି। ତେବେ ୨୦୧୮ରେ ସପ୍ନାର ୭ ବର୍ଷ ଜେଲ୍‌ଦଣ୍ଡ ଶେଷ ହେବାପରେ ସେ ମହିଳାଙ୍କୁ ଧର୍ମବୀରଠାରୁ ନେଇ ଆସି ଯମୁନାନଗରରେ ଏକ ଭଡ଼ା‌ ଘରେ ରଖିଥିଲା। ସପ୍ନା ତାଙ୍କୁ ପୁଣିଥରେ ୫୦,୦୦୦ ଟଙ୍କାରେ ବିକିବାପାଇଁ ଉଦ୍ୟମ କରିଥିଲା। କିନ୍ତୁ ସପ୍ନା ଏଥର ତା’ ଜମିଦାର ହାତରେ ଧରା ପଡ଼ିଥିଲା। ଅନ୍ୟପକ୍ଷେ ଜମିଦାର ଜଣଙ୍କ ମହିଳାଙ୍କ ଦୁଃଖ ବୁଝିପାରି ତାକୁ ନେଇ ଥାନାରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର