ଚର୍ଚ୍ଚାରେ ପାଇଲଟ୍‌ ମହାଶ୍ବେତା: ୟୁକ୍ରେନ୍‌ରୁ ୮୦୦ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି

କୋଲକାତା : କୋଲକାତା ନ୍ୟୁ ଟାଉନ୍‌ର ଜଣେ ୨୪ ବର୍ଷୀୟା ପାଇଲଟ୍‌ ଏବେ ସବୁଆଡ଼େ ଚର୍ଚ୍ଚାରେ। ୟୁକ୍ରେନ୍‌ରେ ଫସିଥିବା ୮୦୦ରୁ ଅଧିକ ଭାରତୀୟଙ୍କୁ ସେ ଉଦ୍ଧାର କରିଛନ୍ତି ଏବଂ ଘରକୁ ସୁରକ୍ଷିତ ଫେରାଇ ଆଣିଛନ୍ତି। ତାଙ୍କ ନାମ ମହାଶ୍ବେତା ଚକ୍ରବର୍ତ୍ତୀ। ‘ଅପରେସନ୍‌ ଗଙ୍ଗା’ର ସେ ଜଣେ ସଦସ୍ୟ। ଫେବ୍ରୁଆରି ୨୭ରୁ ମାର୍ଚ୍ଚ ୭ ମଧ୍ୟରେ ସେ ଅପରେସନ୍‌ ଗଙ୍ଗା ଅଧୀନରେ ପୋଲାଣ୍ଡ୍‌ରୁ ୪ଟି ବିମାନ ଏବଂ ହଙ୍ଗେରିରୁ ୨ଟି ବିମାନ ଯୋଗେ ମୋଟ୍‌ ୮୦୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି। ମହାଶ୍ବେତା କହିଛନ୍ତି, ଏହା ତାଙ୍କ ଜୀବନକାଳ ମଧ୍ୟରେ ସବୁଠାରୁ ବଡ଼ ଅନୁଭୂତି। ଏହି ଅନୁଭୂତି ସାରା ଜୀବନ ମନେ ରହିବ। ଉଦ୍ଧାର ହୋଇଥିବା ଅଧିକାଂଶ ଛାତ୍ର ଖୁବ୍‌ ଭୟରେ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅସୁସ୍ଥ ହୋଇପଡ଼ିଥିଲେ। ସଂଘର୍ଷ କରିଥିବା ଏହି ଛାତ୍ରମାନଙ୍କୁ ମୋର ସାଲ୍ୟୁଟ୍‌। ସେମାନେ ଖୁବ୍‌ ସଂଘର୍ଷ କରିଛନ୍ତି। ସେମାନଙ୍କୁ ଫେରାଇ ଆଣିବା‌ରେ ମୋର କିଛି ଅବଦାନ ପାଇଁ ମୁଁ ଖୁବ୍‌ ଗର୍ବିତ ବୋଲି ମହାଶ୍ବେତା କହିଛନ୍ତି।

ମହାଶ୍ବେତା ଗତ ୪ ବର୍ଷ ଧରି ଏକ ଘରୋଇ ବିମାନ ଉଡ଼ାଣ କରୁଛନ୍ତି। ଏକ ବିଳମ୍ବିତ ରାତିରେ ସେ ତାଙ୍କ ଏୟାରଲାଇନ୍‌ରୁ ଫୋନ୍‌ ପାଇଥିଲେ। ଉଦ୍ଧାର ମିସନ୍‌ ଅଧୀନରେ ତାଙ୍କୁ ବିମାନ ଉଡ଼ାଣ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ମହାଶ୍ବେତାଙ୍କ ହାତରେ ମାତ୍ର ୨ ଘଣ୍ଟା ଥିଲା। ସେ ୨ ଘଣ୍ଟାରେ ବ୍ୟାଗ୍‌ ପ୍ୟାକ୍‌ କରି ଇସ୍ତାନବୁଲ୍‌ ବାହାରି ପଡ଼ିଥିଲେ। ସେଠାରୁ ପୋଲାଣ୍ଡ୍‌ ଯାଇଥିଲେ। ପୋଲାଣ୍ଡରୁ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଉଡ଼ାନ ଏକାଡେମିରୁ ଗ୍ରାଜୁଏଟ୍‌ ଡିଗ୍ରି ହାସଲ କରିଛନ୍ତି ମହାଶ୍ବେତା। ଥରକରେ ଦୀର୍ଘ ୧୩-୧୪ ଘଣ୍ଟା ଧରି ସେ ଉଡ଼ାଣ କରିଛନ୍ତି। ମହାଶ୍ବେତା କହିଛନ୍ତି ଉଦ୍ଧାର ହୋଇଥିବ ଛାତ୍ରଙ୍କୁ ଆମେ ଖାଦ୍ୟ ଦେଉ। କିନ୍ତୁ ସେମାନେ ପାଣି ବି ପିଇବାକୁ ଇଚ୍ଛା କରନ୍ତିନି। ସେମାନେ କେବଳ ଘରକୁ ଫେରିଯିବାକୁ ଚାହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଅପରେସନ୍‌ ଗଙ୍ଗା ଅଧୀନରେ ଭାରତୀୟଙ୍କୁ ଫେରା‌ଇ ଆଣିବାପାଇଁ ୭୫ ବିମାନ ପରିଚାଳନା କରାଯାଇଛି। କରୋନା ମହାମାରୀ ସମୟରେ ଭାରତ ସରକାରଙ୍କ ଏମର୍ଜେନ୍ସି ଅପରେସନ୍‌ ‘ବନ୍ଦେ ଭାରତ’ରେ ମଧ୍ୟ ମହାଶ୍ବେତା ସାମିଲ ଥିଲେ।

ସମ୍ବନ୍ଧିତ ଖବର