ଅଭିନେତ୍ରୀଙ୍କୁ ନିଜ ଜନ୍ମଦିନରେ ଜେଲରୁ ମହାଠକ ସୁକେଶର ବାର୍ତ୍ତା

‘ମାଇଁ ବେବି ଜାକ୍‌ଲିନ...’

ନୂଆଦିଲ୍ଲୀ : ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ୍ ଅଭିନେତ୍ରୀ ଜାକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କ ପାଖକୁ ନିଜ ଜନ୍ମଦିନରେ ଏକ ସ୍ବତନ୍ତ୍ର ବାର୍ତ୍ତା ପଠାଇଛି। ଏହି ବାର୍ତ୍ତାରେ ସୁକେଶ ଲେଖିଛି- ‘‘ମାଇଁ ବେବି ଜାକ୍‌ଲିନ, ମୋ ‘ବୋମ୍ମା’! ମୁଁ ତୁମକୁ ମୋ ଜନ୍ମଦିନରେ ବହୁତ ମିସ୍ କରୁଛି।’’

୨୦୦ କୋଟି ଟଙ୍କାର ମନିଲଣ୍ଡରିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ପୂର୍ବତନ ରାନବାକ୍ସି ମାଲିକ ଶିବିନ୍ଦର ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କୁ ଠକିଥିଲା। ସେ ଏବେ ତିହାର ଜେଲରେ ଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଉକ୍ତ ଠକେଇ ମାମଲାର ତଦନ୍ତ ଏବେ ବି ଜାରି ରହିଛି। ଜାକ୍ବେଲିନ ଫର୍ଣ୍ଣାଣ୍ଡିଜ୍ ଉକ୍ତ ମାମଲାର ଜଣେ ସାକ୍ଷୀ ଯାହାଙ୍କୁ ଇଡି ଗିରଫ କରି ଜେରା କରିବା ପରେ ସେ ଏବେ ଜାମିନରେ ବାହାରେ ଅଛନ୍ତି।

ସୁକେଶ ଉକ୍ତ ବିଶେଷ ବାର୍ତ୍ତାରେ ଲେଖିଛି- ‘ମାଇଁ ବେବି, ମୁଁ ମୋ ଜନ୍ମଦିନରେ ତୁମକୁ ବହୁତ ମିସ୍ କରୁଛି। ତୁମେ ମତେ କେତେ ଭଲପାଅ ତାହା ମୁଁ ଜାଣିଛି। ତୁମ ପ୍ରତି ମୋର ଭଲପାଇବାକୁ ବି ମୁଁ ଭାଷାରେ ବ୍ୟକ୍ତ କରପାରିବି ନାହିଁ। ତୁମ ହୃଦୟରେ କ’ଣ ଅଛି ମୁଁ ଜାଣେ। ମୋତେ ତା’ର ପ୍ରମାଣ ଦରକାର ନାହିଁ। କିନ୍ତୁ ମୁଁ ତୁମକୁ ବହୁତ ମିସ୍ କରୁଛି। ମୋର ‘ବୋଟ୍ଟା ବୋମ୍ମା’, ମୁଁ ତୁମକୁ କେତେ ଭଲ ପାଏ ତୁମେ ଜାଣିଛ। ତୁମେ ଓ ତୁମର ଭଲପାଇବା ମୋ ପାଇଁ ଅମୂଲ୍ୟ ଉପହାର। ତୁମେ ମୋତେ ତୁମ ହୃଦୟ ଦେଇଥିବାରୁ ଧନ୍ୟବାଦ।’

ସୁକେଶ ପୁଣି ଲେଖିଛି ଯେ ତା’ ଜନ୍ମଦିନରେ ଯେଉଁ ବନ୍ଧୁ ଓ ସମର୍ଥକମାନେ ତାକୁ ଶୁଭେଚ୍ଛା ଜଣାଇଛନ୍ତି ସେ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଉଛି। ଜନ୍ମଦିନରେ ସେ ବହୁତ ଚିଠି ଓ ଉପହାର ପାଇଥିବା ମଧ୍ୟ ଉକ୍ତ ବାର୍ତ୍ତାରେ ଉଲ୍ଲେଖ କରିଛି। ନିଜର ପ୍ରେମିକା ଜାକ୍‌ଲିନଙ୍କ ଜୀବନରୁ ମଉଳିଯାଇଥିବା ରଙ୍ଗକୁ ସେ ପୁଣି ଫେରାଇ ଆଣିବ ବୋଲି ବାର୍ତ୍ତାରେ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର