ବୁଦ୍ଧି ଶିଖିଲେ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ, ଇମ୍ରାନ ଖାଁ ସହ ଆଲୋଚନା ବେଳେ କଶ୍ମୀର ପ୍ରସଙ୍ଗରେ ଚୁପ ରହିଲେ

ନୂଆଦିଲ୍ଲୀ : ଭାରତର କଡ଼ା ପଦକ୍ଷେପ ପରେ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ ଶିକ୍ଷାଲାଭ କଲାଭଳି ଲାଗୁଛି । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମାଲେସିଆ ଗସ୍ତ କାଳରେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏ ସଂପର୍କରେ ମହାଥୀର କୌଣସି ବୟାନ ଦେଇନାହାନ୍ତି । ଦୁଇଦେଶ ପକ୍ଷରୁ ପ୍ରକାଶିତ ମିଳିତ ଘୋଷଣାପତ୍ରରେ କୁହାଯାଇଛି ଯେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ପାକିସ୍ତାନ ପକ୍ଷ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ, କିନ୍ତୁ ଏହି ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତି ହୋଇଥିବା କଥା ଏଥିରେ କୁହାଯାଇନାହିଁ ।

ମାଲେସିଆର ଏହି ପରିବର୍ତ୍ତିତ ଆଭିମୁଖ୍ୟପରେ ଇମ୍ରାନ ଖାଁ ନିରାଶ ହୋଇଯାଇଛନ୍ତି । ସେ କହିଛନ୍ତି ଯେ କଶ୍ମୀର ସମ୍ପର୍କରେ ଇସ୍ଲାମିକ ଦେଶ ସମୂହ ପକ୍ଷରୁ ଏକ ସ୍ୱରରେ କୌଣସି ପ୍ରତିବାଦ କରାଯାଉନାହିଁ ।

ମାଲେସିଆର ପ୍ରଧାନମନ୍ତ୍ରୀ ମହାଥୀର ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଥିବାରୁ ଭାରତ ମାଲେସିଆରୁ ପାମ ଅଏଲ କିଣିବା ବନ୍ଦ କରିଦେଇଛି । ଗତ ବର୍ଷ ମହାଥୀର କଶ୍ମୀର ସଂପର୍କରେ ଓ ନିକଟରେ ନାଗରିକତା ଆଇନ ସଂପର୍କରେ ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ ଭାରତ ବିରୋଧ କରୁଛି । ଗତ ଫେବ୍ରୁଆରି ୧ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁସାରେ ଅଶୋଧିତ ପାମ ଅଏଲ ଉପରେ ଭାରତ ସରକାର ୪୦ ପ୍ରତିଶତ ଆମଦାନି ଟିକସ ଲଗାଇଛନ୍ତି । ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ରହିଆସିଛି । କିନ୍ତୁ ଭାରତ ଆମଦାନି କମାଇଥିବାରୁ ମାଲେସିଆର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି ।

ସମ୍ବନ୍ଧିତ ଖବର