ନୂଆଦିଲ୍ଲୀ: ଜଣେ ରାଷ୍ଟ୍ରବାଦୀ ନେତା ଭାବେ ଡ. ହରେକୃଷ୍ଣ ମହତାବ ସ୍ମରଣୀୟ ରହିବେ। ତାଙ୍କ ନେତୃତ୍ବର କୁଶଳତା, ରାଷ୍ଟ୍ରବାଦୀ ବିଚାର ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଜାତୀୟ ସ୍ତରରେ ଆୟୋଜିତ ଡ. ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ଥାନୀୟ ବିଜ୍ଞାନ ଭବନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡ. ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଏକାଧିକ ଉପଲବ୍ଧି ସଂପର୍କରେ ଆଲୋକପାତ କରିଥିଲେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ସେ କହିଥିଲେ, ମହତାବ ଜଣେ ଦୂରଦ୍ରଷ୍ଟା ନେତା ଥିଲେ। ଗୋଟିଏ ରାଜ୍ୟର ବିକାଶ ପାଇଁ ଭୌତିକ ବିକାଶ ଯଥେଷ୍ଟ ନୁହେଁ, ସାଂସ୍କୃତିକ ଜାଗରଣର ଆବଶ୍ୟକତାକୁ ସେ ହୃଦୟଙ୍ଗମ କରିଥିଲେ। ମହତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ସମସ୍ତ କାର୍ଯ୍ୟକ୍ରମରେ ସେ ସକ୍ରିୟ ରୂପେ ଭାଗ ନେଉଥିଲେ। ୧୯୩୮ରେ ନେତାଜୀ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ମହତାବଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀର ସଦସ୍ୟ ରୂପେ ନିଯୁକ୍ତ କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତ ଡ. ମହତାବ ମିଶି ଦେଶକୁ ଏକଜୁଟ କରିବାର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ତାଙ୍କ ଉଦ୍ୟମ ଯୋଗୁ ଭାରତୀୟ ସଂଘ ସହ ୧୯୪୯ରେ ମୟୂରଭଞ୍ଜ ଗଡ଼ଜାତରେ ମିଶ୍ରଣ ସମ୍ଭବ ହୋଇପାରିଥିଲା ବୋଲି ରାଷ୍ଟ୍ରପତି କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ଡ. ମହତାବ ଜଣେ ଜାତୀୟ ନେତା ଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରେ ଡ. ମହତାବ ହିଁ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେଇଥିଲେ। ରାଜନୀତିରେ ଅବଦାନ ସହ ଓଡ଼ିଆ ଲେଖକ ତଥା ସାମ୍ବାଦିକଙ୍କ ସେ ପିଢ଼ି ସୃଷ୍ଟି କରିପାରିଥିଲେ। ଆମେ ଆଜି ଯେଉଁ ଓଡ଼ିଶାକୁ ଦେଖୁଛୁ, ତାହା ମହତାବଙ୍କ ଅବଦାନର ଫଳ। ସେ ହିଁ ଓଡ଼ିଶାରେ ବିକାଶର ଇଞ୍ଜିନକୁ ଗତିଶୀଳ କରାଇଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ତାଙ୍କ ଅବଦାନକୁ ଭୁଲି ହେବ ନାହିଁ। ପ୍ରଜାତନ୍ତ୍ର ପ୍ରଚାର ସମିତି ମାଧ୍ୟମରେ ସେ ଯୁବ ଲେଖକମାନଙ୍କୁ ପ୍ରେରଣା ଦେଉଥିଲେ। ରାଜ୍ୟ ସରକାର ମହତାବଙ୍କ ସ୍ମୃତି ରକ୍ଷା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବେ। ଜାତି ଗଠନରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିବା ବରପୁତ୍ରମାନଙ୍କୁ ପୂଜା କରିବାକୁ ଆମେ ଏବେ ପ୍ରସ୍ତୁତ ଅଛୁ।
ଜାତୀୟସ୍ତରରେ ୧୨୫ତମ ଜୟନ୍ତୀ ଉତ୍ସବ ଆୟୋଜିତ
ସ୍ମାରକୀ ଡାକ ଟିକଟ, ପୁସ୍ତକ ଓ ମୁଦ୍ରା ଉନ୍ମୋଚିତ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଡ. ହରେକୃଷ୍ଣ ମହତାବ ଓଡ଼ିଆ ଅସ୍ମିତାର ଜୀବନ୍ତ ରାଷ୍ଟ୍ରନୀତିଜ୍ଞ। ମହତାବ ଏଭଳି କିଛି କାମ କରିଛନ୍ତି ଯାହାଙ୍କ ନାମରେ ଇତିହାସ ଲେଖାଯାଇଛି। ଗଡ଼ଜାତ ରାଜ୍ୟ ମିଶ୍ରଣ, ହୀରାକୁଦ ଡ୍ୟାମ ନିର୍ମାଣ, ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଗଠନରେ ତାଙ୍କର ଭୂମିକା ଅନୁଳନୀୟ ଥିଲା। ଏଥି ସହିତ ତାଙ୍କ ଲିଖିତ ଗାଁ ମଜଲିସ ଦେଶ ସମାଜର ସ୍ଥିତି, ସୁଧାର, ସମାଜ ନିର୍ମାଣରେ ନିଚ୍ଛକ ଚିତ୍ର ଥିଲା ବୋଲି ସେ କହିଥିଲେ। ମହତାବ ଜଣେ ବ୍ୟକ୍ତି ନଥିଲେ, ଥିଲେ ଜଣେ ଚରିତ୍ର, ବିଚାରଧାରା ଓ ସଂସ୍କୃତି। ତାଙ୍କ ଦ୍ବାରା ଲିଖିତ ‘ଗାଁ ମଜଲିସ୍’କୁ ଓଡ଼ିଶାର ନୂଆ ପିଢ଼ି ପଢ଼ିବା ଉଚିତ। ୧୨ ବର୍ଷ ପରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ମହତାବଙ୍କ ବିଚାରରେ ଆଗକୁ ବଢ଼ିବା ପାଇଁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଛନ୍ତି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କ ସମ୍ବୋଧନରେ ମହତାବଙ୍କ ବହୁମୁଖୀ ଉପଲବ୍ଧିକୁ ସ୍ମରଣ କରିଥିଲେ। ଜଣେ ଲେଖକ, ଐତିହାସିକ ତଥା ସମାଜ ସଂସ୍କାରକ ଭାବେ ମହତାବ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ। ୧୨୫ତମ ଜୟନ୍ତୀ ଉଦ୍ଘାଟନ ଉତ୍ସବ ଅବସରରେ ମହତାବଙ୍କ ସ୍ମୃତିରେ ଏକ ସ୍ବତନ୍ତ୍ର ସ୍ମାରକ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚିତ ହୋଇଥିଲା। ଏଥି ସହିତ ତିନିଟି ପୁସ୍ତକ- ଓଡିଆରେ ମନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଓ ହୀନ୍ଦି ଅନୁବାଦ ଉନ୍ମୋଚନ କରାଯାଇଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଡ. ମହତାବଙ୍କ ଜୀବନୀକୁ ନେଇ ଆୟୋଜନ ପ୍ରଦର୍ଶନୀକୁ ରାଷ୍ଟ୍ରପତି ଉଦ୍ଘାଟନ କରିଥିଲେ। ଉତ୍ସବରେ କଟକ ସାଂସଦ ତଥା ଡ. ମହତାବଙ୍କ ପୁଅ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।