ବେଙ୍ଗାଲୁରୁରେ ମହାବିନାୟକ ମହୋତ୍ସବ : ବାବୁସାନ୍ ଓ ଏଲିନା ଥିଲେ ଷ୍ଟାର ନାଇଟର ମୁଖ୍ୟ ଆକର୍ଷଣ

ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ଓଡ଼ିଶା ପୂଜା କମିଟି ତରଫରୁ ମହାସମାରୋହରେ ୨୮ତମ ମହାବିନାୟକ ମହୋତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ପୂଜାସ୍ଥଳୀ ଏମ୍‌. ବିଶ୍ୱେଶରାୟ କଲେଜ ପ୍ରାଙ୍ଗଣରେ ନିର୍ମିତ ପୂଜା ମଣ୍ଡପକୁ ଦକ୍ଷିଣ ଭାରତୀୟ ମନ୍ଦିର ଶୈଳୀରେ ନିର୍ମାଣ ଯାଇଥିଲା । ସକାଳ ୯ଟା ବେଳେ ମଙ୍ଗଳମୂର୍ତ୍ତି ପ୍ରତିଷ୍ଠା ଏବଂ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦିନ ସାଢ଼େ ଏଗାରଟା ବେଳେ ଭକ୍ତମାନେ ବୁଦ୍ଧିଦାତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଉତ୍ସବରେ ବହୁ ବରେଣ୍ୟ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିବା ଦେଖାଯାଇଥିଲା । କରୋନା ବାଧକତା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନରେ ଗଣେଶ ପୂଜା ପାଳନ କରାଯାଉଥିବାରୁ ଆୟୋଜକ ଓଡ଼ିଶା ପୂଜା କମଟିର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା । ବର୍ଷା ହେବା ସତ୍ତ୍ୱେ ସନ୍ଧ୍ୟାର ଷ୍ଟାର ନାଇଟ୍‌ର କାର୍ଯ୍ୟକ୍ରମକୁ ପ୍ରାୟ ୨୦ ହଜାର ଦର୍ଶକ ମନଭରି ଉପଭୋଗ କରୁଥିବାର ଦୃଶ୍ୟ ନିଆରା ଥିଲା ।

ଚଳିତ ବର୍ଷର ଷ୍ଟାର ନାଇଟର ମୁଖ୍ୟ ଆକର୍ଷଣ ଓଲିଉଡ୍ ତାରକା ବାବୁସାନଙ୍କ ସହିତ ‘ଦମନ’ ଚଳଚ୍ଚିତ୍ରର କଳାକାରବୃନ୍ଦ ଏବଂ  ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଦମ୍‌ଦାର ମଞ୍ଚାରୋହଣ ଥିଲା । ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ ଅଧିବେଶନରେ କୁଳଦୀପ ପଟ୍ଟନାୟକ, ଅର୍ଚ୍ଚନା ପାଢ଼ୀ ଏବଂ ନବ୍ୟା ଜଇତି ପ୍ରମୁଖ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ସେମାନଙ୍କର ଯାଦୁଗରୀ ଗାୟନରେ ଦର୍ଶକମାନଙ୍କର ବେଶ୍ ମନୋରଞ୍ଜନ କରିଥିଲେ । ପ୍ରସିଦ୍ଧ ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର ଏବଂ ପ୍ରୀତିରଞ୍ଜନ ପ୍ରଧାନ ମଧ୍ୟ ସେମାନଙ୍କର ଉଚ୍ଚକୋଟୀର କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଦେଖଣାହାରୀମାନଙ୍କୁ ବିଭୋର କରିଦେଇଥିଲେ । ରଜରାଣୀ ରୂପାଲୀ ପାଣିଙ୍କର ଉପସ୍ଥିତି ବି ବେଶ୍ ଆକର୍ଷକ ଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦକ୍ଷ ଉପସ୍ଥାପିକା ଜ୍ୟୋତ୍ସ୍ନା ପ୍ରିୟଦର୍ଶିନୀ ସୂଚାରୁ ରୂପେ ସଂଯୋଜନା ଓ ସଂଚାଳନା କରିଥିଲେ ।

ଶେଷରେ ପ୍ରାୟ ୭୦୦୦ ଶ୍ରଦ୍ଧାଳୁଙ୍କୁ ସ୍ୱାଦିଷ୍ଟ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା। ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ ଜେନା, ସମ୍ପାଦକ ନିରଞ୍ଜନ ମିଶ୍ର, ଡଃ ପ୍ରତାପ ପାଣି, ପୀତାମ୍ବର ବିଷୋୟୀ, ନିତ୍ୟାନନ୍ଦ ସାହୁ, ନିଶିକାନ୍ତ ମହାପାତ୍ର, ପାର୍ଥ ଦାଶ, ପୁନମ ମହାପାତ୍ର, ବୀନିତ ଗୁପ୍ତା, ଶ୍ରୀକାନ୍ତ ଉପାଧ୍ୟାୟ, ସଞ୍ଜୟ ସ୍ୱାଇଁ ଏବଂ ପ୍ରବୋଧ ସାମନ୍ତରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଗତ ଗୁରୁବାର ଦିନ ଶ୍ରୀଗଣେଶଙ୍କର ପ୍ରତିମାକୁ ରୋଷଣି କରି ନିଆଯାଇ ସନ୍ଧ୍ୟା ସଢ଼େ ୫ଟାବେଳେ ଅଲ୍‌ସୁର୍ ହ୍ରଦରେ ବିସର୍ଜନ କରାଯାଇଥିବା ଜଣାଯାଇଛି ।

ସମଗ୍ର ଉତ୍ସବ ଆୟୋଜନ କରିବାରେ ଓଡ଼ିଶା ପୂଜା କମିଟିର ଉପଦେଷ୍ଟା ନୀହାର ସାମନ୍ତରା, ପ୍ରକାଶ ସାମନ୍ତରାୟ, ପିଙ୍କିସ ପ୍ରଧାନ, ସଭାପତି ହରପ୍ରସାଦ ମହାପାତ୍ର, ଉପସଭାପତି ପ୍ରଣୟ ସାହୁ, ସାଧାରଣ ସମ୍ପାଦକ ହିମାଂଶୁ ମହାପାତ୍ର, ଯୁଗ୍ମ ସମ୍ପାଦକ ବୃନ୍ଦ ପ୍ରିୟବ୍ରତ ଦାଶ, ପ୍ରଭୁଦତ୍ତ ଧଳ, ସୌମ୍ୟ ରଞ୍ଜନ ମହାନ୍ତି, ଚିନ୍ମୟ ମନୋରଞ୍ଜନ ମହାନ୍ତି, ବିନୟ ସାହୁ, ଅଜିତ ପଣ୍ଡା, ସଦସ୍ୟ ସଂଗ୍ରାମ ମହାନ୍ତି, ଅଲିଭ ତ୍ରିପାଠୀ ଏବଂ ସ୍ମୃତିରଞ୍ଜନ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

ସମ୍ବନ୍ଧିତ ଖବର