ନୂଆଦିଲ୍ଲୀ: ଗତ ବର୍ଷ ଜୁନରେ ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହିତ ସାହସର ସହ ଲଢ଼ି ସହିଦ ହୋଇଥିବା ଯବାନମାନଙ୍କୁ ବୀରତା ସମ୍ମାନରେ ସମ୍ମାନିତ କରାଯିବ | ଏହି ସଂଘର୍ଷରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ଲାଗି ମନୋନୀତ କରାଯାଇଛି । ସନ୍ତୋଷ ବାବୁଙ୍କ ସହ ଅନ୍ୟ ଗଲୱାନ ସଂଘର୍ଷରେ ବୀରତାର ସହ ଲଢ଼ି ଦେଶ ଲାଗି ପ୍ରାଣବଳି ଦେଇଥିବା ପାଞ୍ଚଜଣ ଯବାନଙ୍କୁ ମଧ୍ୟ ମରଣୋତ୍ତର ଭାବେ ସାମରିକ ସମ୍ମାନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି |
ଗଲୱାନ୍ ଉପତ୍ୟକାରେ ସହିଦ ହୋଇଥିବା ନାଏବ ସୁବେଦାର ନୁଡୁରାମ ସୋରେନ, ହାବିଲଦାର କେ ପିଲାନି, ହାବିଲଦାର ତେଜେନ୍ଦ୍ର ସିଂ, ନାୟକ ଦୀପକ ସିଂ ଏବଂ ସିପାହୀ ଗୁରତେଜ ସିଂଙ୍କୁ ବୀରତା ପଦକ ଦିଆଯିବ । ସେହିପରି କାଶ୍ମୀର ଉପତ୍ୟକାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସହିଦ ହୋଇଥିବା ମେଜର ଅନୁଜ ସୁଦଙ୍କୁ ସୌର୍ଯ୍ୟ ଚକ୍ର ପ୍ରଦାନ କରାଯିବ | ମେ ୨୦୨୦ରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଅନୁଜ ସହିଦ ହୋଇଥିଲେ | ସେହିପରି ସୁବେଦାର ସଂଜୀବ କୁମାରଙ୍କୁ କୀର୍ତ୍ତି ଚକ୍ର ପ୍ରଦାନ ପାଇଁ ଘୋଷଣା କରାଯାଇଛି | ଏପ୍ରିଲ ୪, ୨୦୨୦ରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିବା ବେଳେ ସେ ସହିଦ ହୋଇଥିଲେ |
ସୂଚନା ଥାଉ କି ଜୁନ୍ ୧୫ ରେ, ଗଲୱାନ୍ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ୧୬ତମ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଯାଇଥିଲେ | ଏହି ସଂଘର୍ଷରେ ଚୀନ୍ ସୈନିକଙ୍କ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ପ୍ରକାଶ କରିନଥିଲେ ବି ସ୍ୱୀକାର କରିଥିଲା ଯେ ତାର ବହୁସଂଖ୍ୟକ ସୈନିକ ମଧ୍ୟ ଆହତ ହୋଇଛନ୍ତି।