ସାକ୍ଷୀ ଧୋନିଙ୍କ ଜୀବନ ପ୍ରତି ବିପଦ ! ଏହି କାରଣ ଦର୍ଶାଇ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କଲେ ସାକ୍ଷୀ
ରାଞ୍ଚି : ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସାକ୍ଷୀ ଧୋନି ବନ୍ଧୁକ ରଖିବା ଲାଇସେନ୍ସ ପାଇଁ ଅବେଦନ କରିଥିବା ଜଣାପଡ଼ିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସ୍ତ୍ରୀ ସାକ୍ଷୀ ପ୍ରାୟ ସମୟ ଘରେ ଏକା ରହୁଥିବାରୁ ତାଙ୍କୁ ପିସ୍ତଲ ହେଉ ବା ୦.୩୨ ବୋର୍ ରିଭଲ୍ଭର ରଖିବାର ଲାଇସେନ୍ସ ଦିଆଯାଉ ବୋଲି ସେ ଅନୁମତି ମାଗିଛନ୍ତି । ଆବେଦନ ପତ୍ରରେ ସାକ୍ଷୀ ନିଜ ବ୍ୟକ୍ତଗତ କାମ ପାଇଁ ଏକା ବାହାରକୁ ଯାଉଥିବା ଉଲ୍ଲେଖ କରିଛନ୍ତି । ଏକା ବାହାରକୁ ଯାଉଥିବା ବେଳେ ତାଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ନିଜର ସୁରକ୍ଷା ଲାଗି ତାଙ୍କୁ ବନ୍ଧୁକ ରଖିବାର ଲାଇାସନ୍ସ ଦିଆଯାଉ ବୋଲି ସେ ଲେଖିଛନ୍ତି । ସାକ୍ଷୀଙ୍କ ଏହି ଚିଠିକୁ ରାଞ୍ଚିର ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟକୁ ଦିଆଯିବା ପରେ ଏହାକୁ ଅର୍ଗୋରା ପୁଲିସ ଷ୍ଟେସନକୁ ପଠା ଯାଇଥିଲା ।

ଏହି ଆବେଦନ ପତ୍ର ପାଇବା ପରେ ସାକ୍ଷୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଅଛି କି ନାହଁ ତାହା ଯାଞ୍ଚ କରିଥିଲା ଅର୍ଗୋରା ପୁଲିସ । ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବାରୁ ଅର୍ଗୋରା ପୁଲିସ ସାକ୍ଷୀଙ୍କ ଆବେଦନ ପତ୍ରକୁ ହାତିଆ ଉପ ପୁଲିସ ଅଧ୍ୟୀକ୍ଷକ ବିକାଶ ପାଣ୍ଡେଙ୍କୁ ପଠାଇ ଦେଇଥିଲେ । ଏହା ପରେ ଉପପୁଲିସ ଅଧ୍ୟୀକ୍ଷକ ବିକାଶ ପାଣ୍ଡେ ସାକ୍ଷୀଙ୍କ ପତ୍ରକୁ ବରିଷ୍ଠ ପୁଲିସ ଅଧ୍ୟୀକ୍ଷକଙ୍କୁ ପଠାଇଥିବା ଜଣା ପଡ଼ିଛି । ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ବନ୍ଧୁକ ରଖିବାର ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୨୦୧୦ମସିହାରେ ତାଙ୍କୁ ଲାଇସେନ୍ସ ପ୍ରଦାନ କରା ଯାଇଥିଲା ।