ପାରିଶ୍ରମିକ ଦେଇପାରିବ ନାହିଁ ବୋଲି କହିଥିବା ମହେଶ ବାବୁ ବଲିଉଡରେ କରିବେ ଡେବ୍ୟୁ !

ମୁମ୍ବାଇ: ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥିଲେ ସାଉଥ ସୁପରଷ୍ଟାର ମହେଶ ବାବୁ । ତାଙ୍କର ଏଭଳି ବୟାନ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଖୁବ ଶୀଘ୍ର ସେ ବଲିଉଡରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ଆଜିର ଦିନରେ ସାଉଥ ସୁପରଷ୍ଟାରଙ୍କ ଚଳଚ୍ଚିତ୍ର ହିନ୍ଦୀରେ ମୁକ୍ତିଲାଭ କରୁଛି। ଏହା ସହ ଅନେକ ସାଉଥ ସୁପରଷ୍ଟାର ବଲିଉଡରେ ଡେବ୍ୟୁ କରୁଛନ୍ତି। ଏସବୁ ମଧ୍ୟରେ ଏବେ ମହେଶ ବାବୁ ମଧ୍ୟ ବଲିଉଡରେ ଡେବ୍ୟୁ କରିବେ ବୋଲି ଖବର ମିଳୁଛି।

ୱେବ୍ ପୋର୍ଟାଲ ବଲିଉଡ ଲାଇଫରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହେଶ ବାବୁ ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲିଙ୍କ ସହ ହିନ୍ଦୀ ଚଳଚ୍ଚିତ୍ର ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ରାଜାମୌଲି ପ୍ୟାନ ଇଣ୍ଡିଆ ଫିଲ୍ମ ନିର୍ମାଣ କରୁଥିବା ବେଳେ ଏଥିରେ ନଜର ଆସିବେ ମହେଶ।

ଅଦିବି ଶେଷଙ୍କ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ ଅଭିନେତା ତାଙ୍କର ବଲିଉଡ ଡେବ୍ୟୁ ବିଷୟରେ ନିଜର ମତ ଦେଇଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ସେ ଏକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ନିଜ ସମୟ ନଷ୍ଟ କରିବେ ନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବ। ‌ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।

ସମ୍ବନ୍ଧିତ ଖବର