ମହୀଶୂର ବସ୍‌ଷ୍ଟପ୍‌ରେ ଥିବା ମସଜିଦ ଆକୃତିର ଗମ୍ବୁଜ ରାତାରାତି ଉଭାନ

ମହୀଶୂର : କର୍ଣ୍ଣାଟକର ମହୀଶୂରଠାରେ ଏକ ବସ୍‌ଷ୍ଟପ୍‌ରେ ମସଜିଦ ଆକୃତିର ଗମ୍ବୁଜ ଲଗାଯିବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ରବିବାର ରାତାରାତି ଏହାକୁ ଉଠାଇ ଦିଆଯାଇଛି। ବିଜେପି ସାଂସଦ ପ୍ରତାପ ସିଂହ ଗମ୍ବୁଜଗୁଡ଼ିକୁ ଭାଙ୍ଗିଦେବେ ବୋଲି ଧମକ ଦେବା ଏବଂ ଗମ୍ବୁଜ ଦୁଇଟିକୁ କୌଣସି ପ୍ରକାରେ ଭାଙ୍ଗିବାକୁ ଦେବି ନାହିଁ ବୋଲି କଂଗ୍ରେସ ବିଧାୟକ ତନବୀର କହିବା ପରେ ଏହି ଘଟଣା ଘଟିଛି।

ସିଂହ ଅଭିଯୋଗ କରିଥିଲେ ଯେ, ବସ୍‌ଷ୍ଟପ୍‌ରେ ନିର୍ମାଣ କରାଯାଇଥିବା ପ୍ରତୀକ୍ଷାଳୟ ଛାତ ଉପରେ ମୁଖ୍ୟ ଗମ୍ବୁଜର ଦୁଇ ପାର୍ଶ୍ବରେ ଦୁଇଟି ଛୋଟ ଗମ୍ବୁଜ ନିର୍ମାଣ କରାଯାଇଛି, ଯାହା ଠିକ୍ ମସିଜିଦ ପରି ଦେଖାଯାଉଛି। ଏକ ନିର୍ଦ୍ଦିଷ୍ଟ ଅବଧି ସୁଦ୍ଧା ତାକୁ ଅପସାରଣ ନ କଲେ ସେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଧମକ ଦେଇଥିଲେ। ଏହାପରେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାପରେ ବିବାଦ ନ ବଢ଼ାଇବା ପାଇଁ ମୁଖ୍ୟ ଗମ୍ବୁଜ ପାର୍ଶ୍ବସ୍ଥ ଦୁଇ ଛୋଟ ଗମ୍ବୁଜକୁ ଭାଙ୍ଗିଦିଆଯାଇଛି। ଏହାପରେ ସିଂହ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର