ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ଣ୍ଣାଟକ ରାଜ୍ୟପାଳ ଶନିବାର ଅନୁମତି ଦେଇଛନ୍ତି। ଆର୍ଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଆବ୍ରାହାମଙ୍କ ଅଭିଯୋଗ ପରେ ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ ଏହି ଅନୁମତି ଦେଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ଆଜି ସରଗରମ ରହିଥିବା ବେଳେ କଂଗ୍ରେସ ସିଦ୍ଦରମେୟାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି।
ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ଏହି ଅଭିଯୋଗକୁ ଅସ୍ୱୀକାର କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ ଭବନକୁ କେନ୍ଦ୍ର ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି। ସେ କହିଛନ୍ତି ଯେ ପୂରା ରାଜ୍ୟ ସରକାର ଓ କଂଗ୍ରେସ ଦଳ ତାଙ୍କ ପଛରେ ଛିଡ଼ା ହୋଇଛି। ଏହା ଗଣତାନ୍ତ୍ରିକ ସରକାରକୁ ବିତାଡ଼ିତ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିବା ସହ ସେ ରାଜ୍ୟପାଳଙ୍କ ଅନୁମତିକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଏହା ବିଜେପି ଓ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ବୋଲି କଂଗ୍ରେସ କହିଛି। କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ଦଳର ହାଇକମାଣ୍ଡ ତାଙ୍କ ସହ ଦୃଢ଼ଭାବରେ ଠିଆ ହୋଇଥିବା ସୂଚନା ଦେଇଛନ୍ତି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାଜ୍ୟପାଳଙ୍କ ଅନୁମତିକୁ ଅସାମ୍ବିଧାନିକ ଓ ଅଗାଣତନ୍ତ୍ରିକ ବୋଲି କହିଛନ୍ତି।
ମୁଦା ଦୁର୍ନୀତି କ’ଣ?
କର୍ଣ୍ଣାଟକରେ ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ବାରା ଜମି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଏହି ଅନିୟମିତତା ହେତୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ପତ୍ନୀ ପାର୍ବତୀ ସିଦ୍ଦରମେୟା ଉପକୃତ ହୋଇଥିବା ଅଭିଯୋଗ ହୋଇଛି। ୨୦୨୧ ମସିହାରେ ମୁଦା ବିକାଶ ପାଇଁ ମହୀଶୂରର କେସାରେ ଗ୍ରାମରେ ପାର୍ବତୀ ସିଦ୍ଦରମେୟାଙ୍କର ୩ ଏକର ଜମି ଅଧିଗ୍ରହଣ କରିଥିଲା। ପ୍ରତିବଦଳରେ ତାଙ୍କୁ ଦକ୍ଷିଣ ମହୀଶୂରର ଅଧିକ ଉନ୍ନତ ବିଜୟନଗର ଅଞ୍ଚଳରେ ଅନ୍ୟାନ୍ୟ ପ୍ଲଟ୍ ବଣ୍ଟନ କରାଯାଇଥିଲା। ବିଜୟନଗର ପ୍ଲଟଗୁଡିକର ବଜାର ମୂଲ୍ୟ କେସାରେଠାରେ ଥିବା ମୂଳ ଜମି ତୁଳନାରେ ଯଥେଷ୍ଟ ଅଧିକ। କର୍ଣ୍ଣାଟକ ଦୁର୍ନୀତି ନିବାରଣ ଓ ପରିବେଶ ଫୋରମର ସଭାପତି ଆବ୍ରାହମ ଅଭିଯୋଗ କରିଛନ୍ତି ଯେ ସିଦ୍ଦରମେୟା ତାଙ୍କ ୨୦୨୩ ବିଧାନସଭା ନିର୍ବାଚନ ସତ୍ୟପାଠରେ ଉକ୍ତ ଜମିର ମାଲିକାନା ବିଷୟ ପ୍ରକାଶ କରି ନ ଥିଲେ। ଏହା ଲୋକପ୍ରତିନିଧି ଆଇନର ଧାରା ୧୨୫ଏ, ଧାରା ୮ ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଦୋଷାବହ।