ମହତାବ ଇତିହାସ ସୃଷ୍ଟି କରିଛନ୍ତି, ଇତିହାସ ଦେଖିଛନ୍ତି ଓ ଇତିହାସ ଲେଖିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହତାବ ଏ ଭଳି ଜଣେ ବ୍ୟକ୍ତି, ଯିଏ ଇତିହାସ ସୃଷ୍ଟି କରିଛନ୍ତି, ଇତିହାସ ଦେଖିଛନ୍ତି ଓ ଇତିହାସ ଲେଖିଛନ୍ତି। ବାସ୍ତବିକ ଏଭଳି ଐତିହାସିକ ବ୍ୟକ୍ତିତ୍ୱ ଖୁବ୍‌ ବିରଳ। ଏଭଳି ମହାପୁରୁଷ ସ୍ୱଂୟ ଇତିହାସର ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦିତ ପୁସ୍ତକ ଉନ୍ମୋଚନ କରି କହିଛନ୍ତି।

ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ପ୍ରଗତି ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ବିପୁଳ ଅବଦାନ ନିମନ୍ତେ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ସ୍ମରଣୀୟ। ଓଡ଼ିଶାର ସଂସ୍କୃତି ପ୍ରତି ସେ ଥିଲେ ଖୁବ୍‌ ଅନୁରକ୍ତ।

Image Courtesy of News Room Post

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଦେଶ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବା ବର୍ଷ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଏ ବର୍ଷ ମଧ୍ୟ ପୂରଣ ହେଉଛି ହରେକୃଷ୍ଣ ମହତାବ କଲେଜ ପଢ଼ା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାର ୧୦୦ ବର୍ଷ। ଗାନ୍ଧୀଜୀ ଦାଣ୍ଡି ଯାତ୍ରା ଆରମ୍ଭ କରିବା ସମୟରେ ସେ ଓଡ଼ିଶାର ନେତୃତ୍ୱ ନେଇଥିଲେ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ଇତିହାସ କେବଳ ଅତୀତର କଥା ନୁହେଁ, ଭବିଷ୍ୟତର ଦର୍ପଣ ମଧ୍ୟ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମହତାବ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ। କ୍ଷମତାସୀନ ଥାଇ ସୁଦ୍ଧା ସେ ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ବୋଲି ବିଚାରୁଥିଲେ ଏବଂ ଜୀବନବ୍ୟାପୀ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ହିଁ ଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ। ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଏହି ପୁସ୍ତକଟିକୁ ଶଙ୍କରଲାଲ୍‌ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି।

ଭାରତୀୟ ସ୍ୱାଧୀନତା ଇତିହାସର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ଡକ୍ଟର ହରେକୃଷ୍ଣ ମହତାବ ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର