ମୁଖ୍ୟ ଟାର୍ଗେଟ୍‌ ୟୁସୁଫ୍‌ ଆଝାର ନିପାତ:୧୯୯୯ରେ ବିମାନ ଅପହରଣ କରିଥିଲା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା‌ରେ ଭାରତ ଆଜି ପ୍ରତିଶୋଧ ନେଇଛି। ତେବେ ଭାରତର ଏହି ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ରେ ବାୟୁସେନାର ମୁଖ୍ୟ ଟାର୍ଗେଟ୍‌ ଥିଲା ବାଲାକୋଟ୍‌। ପାକ୍‌ ଅଧିକୃତ କଶ୍ମୀରଠାରୁ ପ୍ରାୟ ୮୦ କିମି ଦୂରରେ ଅବସ୍ଥିତ ବାଲାକୋଟ୍‌ରେ ଥିଲା ଜୈସ୍‌ର ଅନ୍ୟତମ ମୁଖ୍ୟ ସଂଚାଳକ ମୌଲାନ‌ା ୟୁସୁଫ୍‌ ଆଝାର। ଆଝାର ଏବଂ ପ୍ରାୟ ୩୦ ଆତ୍ମଘାତୀ ଆତଙ୍କବାଦୀଙ୍କୁ ବାୟୁସେନା ଟାର୍ଗେଟ୍‌ କରିଥିଲା। ଜୈସ୍‌ ମୁଖ୍ୟ ମସୁଦ୍‌ ଆଝାରର ଶାଳକ ହେଉଛି ୟୁସୁଫ୍‌। ୧୯୯୯ ମସିହାରେ ନେପାଳର କାଠମାଣ୍ଡୁରୁ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଆନ୍‌ ଏୟାରଲାଇନ୍ସ ବିମାନ ଆଇସି-୮୧୪ ଅପହରଣରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ଆତଙ୍କବାଦୀମାନେ ଆଫଗାନିସ୍ତାନର କାନ୍ଦାହାରକୁ ଅପହରଣ କରିନେଇଥିବା ଏହି ବିମାନରେ ଥିବା ୧୭୦ରୁ ଅଧିକ ଯାତ୍ରୀଙ୍କ ମୁକ୍ତି ବଦଳରେ ଆତଙ୍କବାଦୀମାନେ ମସୁଦ ଆଝାର ସମେତ ଅନ୍ୟ ଆତଙ୍କବାଦୀଙ୍କୁ ଛାଡ଼ିବା ପାଇଁ ଦାବି ରଖିଥିଲେ। ନଚେତ ସେମାନେ ବିମାନକୁ ଉଡ଼ାଇଦେବେ ବୋଲି ଧମକ ଦେଇଥିଲେ। ନାନା ବିଚାୀର ବିମର୍ଶ ପରେ ଭାରତ ସରକାର ମସୁଦ୍‌କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ‌୨୦୦୦ ମସିହାରୁ ୟୁସୁଫ୍‌ ଆଝାର ବିରୋଧରେ ଇଣ୍ଟରପୋଲ୍‌ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି ହୋଇଥିଲା। ଇଣ୍ଟ‌ରପୋଲ୍‌ ନୋଟିସ୍‌ ଅନୁଯାୟୀ, ଆଝାର କରାଚି ବାସିନ୍ଦା। ସେ ବାଲାକୋଟ୍‌ ଆତଙ୍କବାଦୀ ଶିବିରର ମୁଖିଆ ସାଜିଥିଲା ଏବଂ ଭାରତରେ ଆହୁରି ଅଧିକ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ତାଲିମ ଦେଉଥିଲା।

ସମ୍ବନ୍ଧିତ ଖବର