ଲକ୍ଷ୍ନୌ: ପୁଲିସ ଡାକିଲେ ଯାଅ ନାହିଁ କି ଧରା ଦିଅ ନାହିଁ। କାର୍ଯ୍ୟକର୍ତ୍ତାଙ୍କୁ ଏଭଳି ଉପଦେଶ ଦେଲେ ଶିବପାଲ ଯାଦବ। ମେନପୁରୀ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ହେବାକୁ ଥିବା ବେଳେ ବୋହୂ ଡିମ୍ପଲ ଯାଦବଙ୍କ ପାଇଁ ​​ପ୍ରଚାର କରିବାକୁ ଆସିଥିବା ଶିବପାଲ ଯାଦବ ଏଭଳି ଉପଦେଶ ଦେଇଛନ୍ତି। ପ୍ରଚାର ସମୟରେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଶିବପାଲ କହିଥିଲେ ଯେ, ଯଦି କୌଣସି ସ୍ଥାନରେ ଝଗଡ଼ା ହୁଏ, ତେବେ ଝଗଡା ସମାଧାନ କରିବାକୁ ଯାଆନ୍ତୁ ନାହିଁ। କାରଣ ଯଦି ଆପଣ ଝଗଡ଼ାର ସମାଧାନ କରିବାକୁ ଯାଇ ଏଥିରେ ଜଡିତ ହୁଅନ୍ତି ତେବେ ଆପଣ ଜେଲ ଯିବେ। କେବଳ ଏତିକି ନୁହେଁ ଶିବପାଲ କହିଥିଲେ ଯେ, ପୁଲିସ ଡକାଇଲେ ମଧ୍ୟ ଯାଆନ୍ତୁ ନାହିଁ ଏବଂ ପୁଲିସକୁ ଧରା ଦିଅନ୍ତୁ ନାହିଁ।

Advertisment

ଶିବପାଲ ଯାଦବ ଆହୁରି କହିଥିଲେ ଯେ, ଆମର ଲଢ଼େଇ ବିଜେପି ସହିତ ନୁହେଁ, ବରଂ ସମଗ୍ର ସରକାର ସହିତ। ପ୍ରଶାସନ ଏବଂ ସରକାରୀ ଅଧିକାରୀଙ୍କ ସହ। ‌ତେଣୁ ଆମେ ଗୁଣ୍ଡାଗର୍ଦି କରିବା ନାହିଁ। ଗାଳି ଦେଲେ ଏହାକୁ ସହିଯିବା। ହେଲେ ପୁଲିସ ହାତରେ ଧରା ପଡ଼ିବା ନାହିଁ। କାରଣ ଗାଳି ଦେଲେ ବା ଝଗଡ଼ା କଲେ ପୁଲିସ ଆମକୁ ଗିରଫ କରିବ, ଯାହା ଦ୍ବାରା ଆମେ ସେମାନଙ୍କ ସହ ଲଢ଼ିପାରି‌ବା ନାହିଁ।

କେବଳ ଏତିକି ନୁହେଁ, ପ୍ରଚାର ସମୟରେ ଶିବପାଲ ଯାଦବ ଅଖିଳେଶ ଯାଦବଙ୍କୁ ଏକ ନୂତନ ନାଁ ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ, ଯେମିତି ମୁଲାୟମ ସିଂ ଯାଦବଙ୍କୁ ନେତାଜୀ ବୋଲି ଡାକୁଥିଲେ ସେହିଭଳି ଆଜିଠାରୁ ଅଖିଳେଶ ଯାଦବଙ୍କୁ ଛୋଟା ନେତାଜୀ ନାଁରେ ଡକାଯିବ। ଏହି ସମୟରେ ଶିବପାଲ ଯାଦବ ବିଜେପିର ମେନ୍ପୁରୀ ପ୍ରାର୍ଥୀ ରଘୁର‌ାଜ ଶାକ୍ୟଙ୍କୁ ବଳଦ ଗାଡ଼ି ତଳେ ଚାଲୁଥିବା କୁକୁର ସହିତ ତୁଳନା କରିଥିଲେ।

ଉଲ୍ଲେଖଯୋଗ୍ୟ, ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ମେନ୍ପୁରୀ ଲୋକସଭା ଆସନରେ ଉପ-ନିର୍ବାଚନ ହେଉଛି। ଏହି ଆସନରୁ ଡିମ୍ପଲ ଯାଦବଙ୍କୁ ସମାଜବାଦୀ ପାର୍ଟୀ ପ୍ରାର୍ଥୀ କରିଥିବା ବେଳେ ବିଜେପି ରଘୁରାଜ ଶାକ୍ୟଙ୍କୁ ପ୍ରାର୍ଥୀ କରିଛି।