ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପ୍ରଶଂସା’ ପ୍ରସଙ୍ଗରେ ମୁହଁ ମୋଡ଼ିଛନ୍ତି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ପାଇଲଟଙ୍କ ମୁହଁ ମୋଡ଼ା ଦେଖିବା ପରେ ପରେ ମୁଖ୍ୟମନ୍ତ୍ରୀ ଗେହଲଟ ବୁଧବାର ଦିନ ତାଙ୍କ ଦଳର ନେତାମାନଙ୍କୁ ଦଳୀୟ ‘ଶୃଙ୍ଖଳା ବଜାୟ ରଖିବା’ ଏବଂ ରାଜନୈତିକ ବିବୃତ୍ତି ଦେବାରୁ ନିବୃତ ରହିବାକୁ ପରାମର୍ଶ ଦେବା ଲାଗି ଅନୁରୋଧ କରିଛନ୍ତି। ଏକ ସରକାରୀ କାର୍ଯ୍ୟକ୍ରମରେ ରାଜସ୍ଥାନର ମନଗଢ଼ ଧାମ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ଗୋଟିଏ ମଞ୍ଚରେ ବସିଥିଲେ। ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ଗେହଲଟଙ୍କୁ ପ୍ରଶଂସା କରିଥିଲେ। ତାଙ୍କୁ ଦେଶର ଅନ୍ୟତମ ବରିଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ଅଭିହିତ କରିଥିଲେ।
ଉଲ୍ଲେଖଯୋଗ୍ୟ, ଏ ପ୍ରସଙ୍ଗରେ ଦିନକ ପୂର୍ବରୁ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପାଇଲଟ ଚେତାବନୀ ଦେଇଥିଲେ ଯେ ଗେହଲଟଙ୍କ ପାଇଁ ମୋଦୀଙ୍କ ମନ୍ତବ୍ୟକୁ ହାଲୁକା ଭାବରେ ନିଆଯିବା ଉଚିତ ନୁହେଁ ଏବଂ ଏଥିସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଉପରେ ‘ନିଷ୍ପତ୍ତିର ସ୍ଥିତି’ ଚୂଡ଼ାନ୍ତ କରିବାକୁ ତାଙ୍କ ଦଳ କଂଗ୍ରେସକୁ ମଧ୍ୟ ଆହ୍ଵାନ ଦେଇଥିଲେ। ଗତ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଇଁ ଶକ୍ତି ପ୍ରଦର୍ଶନର ନେତୃତ୍ୱ ନେଇ କଂଗ୍ରେସ ବିଧାୟକ ଦଳ ବୈଠକକୁ ବର୍ଜନ କରିଥିବା ରାଜସ୍ଥାନର କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦଳ ନିକଟରେ ଦାବି କରିଥିଲେ।
/sambad/media/post_attachments/wp-content/uploads/2022/09/Ashok-Gehlot-Sachin-Pilot.jpg)
ଏ ସବୁକୁ ନେଇ ରାଜଧାନୀ ନୂଆଦିଲ୍ଲୀରେ ହଟଚମଟ ଲାଗି ରହିଥିବା ବେଳେ ବୁଧବାର ଅଲଓ୍ଵାର ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ ଆଉ ୧୩ ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ, ଆମେ ଚାହୁଁ ଯେ ସମସ୍ତ ନେତା ଦଳୀୟ ଅନୁଶାସନ ବଜାୟ ରଖନ୍ତୁ। ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ରହିଥିବାରୁ ଏବେ ସମୟ କନ୍ଦଳର ନୁହେଁ; ବରଂ ଆଉଥରେ ଦଳକୁ କ୍ଷମତାକୁ ଆଣିବା ପାଇଁ ଯୋଜନା ଓ ରୂପରେଖ ପ୍ରସ୍ତୁତିର।
ଏବେ ଏକମାତ୍ର ଧ୍ୟାନ ଓ ପ୍ରାଧାନ୍ୟ ରାଜସ୍ଥାନରେ ସରକାରୁ ବଜାୟ ରଖିବା ଉପରେ ଦିଆଯିବା ଆବଶ୍ୟକ। ଆଉ ଥରେ ଦଳକୁ ରାଜ୍ୟରେ କ୍ଷମତାସୀନ କରାଇବା ଆମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଆମେ ସୁଶାସନ ଦେଇଛୁ ଏବଂ ରାଜ୍ୟରେ ଅନେକ ଯୋଜନା ଆଣିଛୁ, ଯାହା ପୂର୍ବରୁ କେବେ ହୋଇନାହିଁ। ରାଜ୍ୟରେ ସୁଶାସନ ବଜାୟ ରଖିବା ଦିଗରେ ଆମେ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ ସି ବେଣୁଗୋପାଳ ଏ ପ୍ରସଙ୍ଗରେ କୌଣସି ବିବୃତି ଦେବାକୁ ମନା କରି ଦେଇଛନ୍ତି।