କଶ୍ମୀରରେ ଆତଙ୍କବାଦୀ ଆଡା ଠାବ, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ : ଆଗକୁ ସ୍ବାଧୀନତା ଦିବସ ଥିବାରୁ ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ହିଂସାକାଣ୍ଡ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି  ।

ଆଜି ସୀମା ସୁରକ୍ଷା ବଳ (ବିଏସଏଫ) ପୁଞ୍ଚ୍ ଜିଲ୍ଲାରେ ଏକ ଗୋପନ ଆତଙ୍କବାଦୀ ଆଡାର ସନ୍ଧାନ ପାଇଛି । ପୁଞ୍ଚ୍‌ର ସଂଗଦ୍ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏହି ଆଡ୍ଡାର ସନ୍ଧାନ ମିଳିଛି । ଏଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି । ବିଏସଏଫ୍, ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜିର ମିଳିତ ଅପରେସନ ବେଳେ ଏହି ଆଡାର ସନ୍ଧାନ ମିଳିଥିଲା ।

ସ୍ବାଧୀନତା ଦିବସ ସମୟରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଏସବୁ ଅସ୍ତ୍ରଶସ୍ତ୍ର ସୀମା ସେପଟୁ ଆସିଥିବା ସଂଦେହ କରାଯାଉଛି । ଅନ୍ୟପକ୍ଷରେ ଜମ୍ମୁ ଓ କଶ୍ମୀରର କିସ୍ତଓ୍ବାରରୁ ହିଜବୁଲ ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେନା ଓ ସ୍ଥାନୀୟ ପୁଲିସର ମିଳିତ ଅପରେସନରେ ଏମାନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

ଗତକାଲି ଏନଆଇଏ ପକ୍ଷରୁ ନିଷିଦ୍ଧ ଘୋଷିତ ସଂଗଠନ ଜମାଏତ-ଇ-ଇସଲାମୀର କେତେକ ସଦସ୍ୟଙ୍କ ଘର ଓ ଅଫିସରେ ଚଢଉ କରାଯାଇଥିଲା । ଜମ୍ମୁ ଓ କଶ୍ମୀରର ୧୦ଟି ଜିଲ୍ଲାର ୫୬ଟି ସ୍ଥାନରେ ଏହି ଚଢଉ କରାଯାଇଥିଲା ।

 

ସମ୍ବନ୍ଧିତ ଖବର