ଅହମଦାବାଦ: ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ଜଣେ ଡାକ୍ତରଙ୍କ ସମେତ ତିନି ଜଣ ଇସ୍ଲାମିକ ଷ୍ଟେଟ୍(ଆଇଏସ୍) ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଗିରଫ ଆତଙ୍କବାଦୀମାନେ ଦିଲ୍ଲୀ ପ୍ରଭୃତି ସହରରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ ବୋଲି ରବିବାର ଜଣେ ଅଧିକାରୀ କହିଛନ୍ତି। ଗୁଜରାଟ ଏଟିଏସ୍ ଡିଆଇଜି ସୁନୀଲ ଯୋଶୀ କହିଛନ୍ତି ଯେ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନାର ଓ ଦୁଇ ଜଣ ଉତ୍ତରପ୍ରଦେଶର ବାସିନ୍ଦା। ସେମାନେ ଅସ୍ତ୍ରଶସ୍ତ୍ର ବିନିମୟ ପାଇଁ ଗୁଜୁରାଟରେ ଥିଲେ ଏବଂ ଏକ ଶକ୍ତିଶାଳୀ ବିଷ ‘ରିସିନ୍’ ଦ୍ବାରା ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଅଭିଯୁକ୍ତମାନେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେମାନଙ୍କ ହ୍ୟାଣ୍ଡଲର୍ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନ ସୀମା ପାର କରି ଅସ୍ତ୍ରଶସ୍ତ୍ର ପଠାଇଥିଲା।
୩ ଆଇଏସ୍ ଆତଙ୍କବାଦୀ ଗୁଜରାଟରୁ ଗିରଫ/ପାକିସ୍ତାନରୁ ଡ୍ରୋନ୍ରେ ଆସିଥିବା ଅସ୍ତ୍ରଶସ୍ତ୍ର ଜବତ
ଏକ ଗୁପ୍ତ ସୂଚନା ଆଧାରରେ ଏଟିଏସ୍ ଟିମ୍ ନଭେମ୍ବର ୭ ତାରିଖରେ ତେଲେଙ୍ଗାନାର ହାଇଦ୍ରାବାଦ ବାସିନ୍ଦା ଡାକ୍ତର ଅହମଦ ମୋହିଉଦ୍ଦିନ ସୟଦଙ୍କୁ ଦୁଇଟି ଗ୍ଲକ୍ ପିସ୍ତଲ, ଗୋଟିଏ ବେରେଟା ପିସ୍ତଲ, ୩୦ଟି ଜୀବନ୍ତ କ୍ୟାଟ୍ରିଜ୍, ବିସ୍ଫୋରକ ସାମଗ୍ରୀ ଓ ଚାରି ଲିଟର ଅତି ମାରାତ୍ମକ ବିଷ (ରିସିନ୍) ସହ ଗିରଫ କରିଥିଲା ବୋଲି ଯୋଶୀ ଗଣମାଧ୍ୟମକୁ କହିଛନ୍ତି। ପଚରାଉଚରାରୁ ସୟଦ ପ୍ରକାଶ କରିଛି ଯେ, ସେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ୍ଯନ୍ତ୍ର କରୁଥିଲା ଏବଂ ଗାନ୍ଧୀନଗର ଜିଲ୍ଲାର କାଲୋଲର ଏକ ନିଛାଟିଆ ସ୍ଥାନରୁ ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ଆସିଥିବା ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଥିଲା। ସୟଦର ହ୍ୟାଣ୍ଡଲର୍ ଅବୁ ଖାଦିଜା ଆଫଗାନିସ୍ତାନର ବାସିନ୍ଦା ଏବଂ ସେ ଆଇଏସ୍କେପି (ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ) ସହିତ ଜଡ଼ିତ ଥିଲା ଏବଂ ସେ ପାକିସ୍ତାନର ଅନେକ ବ୍ୟକ୍ତିଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲା। ଚୀନ୍ରୁ ଏମ୍ବିବିଏସ୍ ଡିଗ୍ରି ହାସଲ କରିଥିବା ସୟଦ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଜଡ଼ାତେଲରୁ ପ୍ରସ୍ତୁତ ‘ରିସିନ୍’ ନାମକ ଏକ ଅତ୍ୟନ୍ତ ମାରାତ୍ମକ ବିଷ ପ୍ରସ୍ତୁତ କରୁଥିଲା। ସେ ଆତଙ୍କବାଦୀ ଷଡ୍ଯନ୍ତ୍ରର ଏକ ଅଂଶ ଭାବରେ ପାଣ୍ଠି ସଂଗ୍ରହ ସହ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଥିଲା।
ଏଟିଏସ୍ ଟିମ୍ ସୟଦର ମୋବାଇଲ୍ ଫୋନ୍ରୁ ସଂଗୃହୀତ ସୂଚନା ଆଧାରରେ ତାକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ଆଜାଦ ସୁଲେମାନ ଶେଖ୍ ଓ ମହମ୍ମଦ ସୁହେଲ ମହମ୍ମଦ ସଲିମକୁ ଉତ୍ତରପ୍ରଦେଶରରୁ ଗିରଫ କରାଯାଇଛି। ଏ ଦୁହେଁ ରାଜସ୍ଥାନର ହନୁମାନଗଡ଼ରୁ ଅସ୍ତ୍ରଶସ୍ତ୍ର କିଣି ସୟଦକୁ ଯୋଗାଇଥିଲେ। ଅଭିଯୁକ୍ତମାନେ ଲକ୍ଷ୍ନୌ, ଦିଲ୍ଲୀ ଓ ଅହମଦାବାଦର ଅନେକ ସମ୍ବେଦନଶୀଳ ସ୍ଥାନରେ ଆକ୍ରମଣ ପାଇଁ ସର୍ଭେ କରିଥିଲେ। ଏହି ତିନିଜଣଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଅଧିନିୟମ (ୟୁଏପିଏ), ଭାରତୀୟ ନ୍ୟାୟ ସଂହିତା ଓ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସୟଦକୁ ନଭେମ୍ବର ୧୭ ପର୍ଯ୍ୟନ୍ତ ଏଟିଏସ୍ ହେପାଜତରେ ରଖିବାକୁ ରିମାଣ୍ଡରେ ନିଆଯାଇଛି। ଗୁଜୁରାଟ ଏଟିଏସ୍ ମଧ୍ୟ ତଦନ୍ତ ପରିସରକୁ ଅନ୍ୟ ରାଜ୍ୟକୁ ସମ୍ପ୍ରସାରିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/10/gfshshffhhf-2025-11-10-02-39-01.jpg)