ନୂଆଦିଲ୍ଲୀ: ସୋମବାର ରାଜଧାନୀ ଦିଲ୍ଲୀରେ କାର୍ ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଛି। ଦୀର୍ଘ ୧୪ ବର୍ଷ ପରେ ଦିଲ୍ଲୀରେ ଏତେବଡ଼ ବିସ୍ଫୋରଣ ହୋଇଛି। ୨୦୧୧ ସେପ୍ଟେମ୍ବର ୭ରେ ଦିଲ୍ଲୀ ହାଇକୋର୍ଟ ବାହାରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରକ ବ୍ରିଫ୍କେସ୍ରେ ରଖାଯାଇଥିଲା। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ଆହତ ହୋଇଥିଲେ। ଏହାପୂର୍ବରୁ ୨୦୦୮ରେ ଦିଲ୍ଲୀରେ ୨ଥର ବିସ୍ଫୋରଣ ହୋଇଥିଲା। ସେହିବର୍ଷ ୨୭ ସେପ୍ଟେମ୍ବରରେ ମେହରୋଲିର ଫୁଲ ବଜାରରେ ଟିଫିନ ବୋମା ବିସ୍ଫୋରଣ ହୋଇଥିଲା। ମୋଟର ସାଇକଲରେ ଆସି ଦୁଇ ଜଣ ଯୁବକ ଟିଫିନ ଛାଡ଼ି ଯାଇଥିଲେ। କିଛି ମିନିଟ ପରେ ତୀବ୍ର ବିସ୍ଫୋରଣ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଆହତ ହୋଇଥିଲେ। ଏହାପୂର୍ବରୁ ୧୩ ସେପ୍ଟେମ୍ବରରେ ଦିଲ୍ଲୀ କରୋଲ ବାଗ, କନ୍ନଟ ପ୍ଲେସ୍ ଓ ଗ୍ରେଟର କୈଳାସରେ ଗୋଟିଏ ସମୟରେ ବିସ୍ଫୋରଣ ହୋଇଥିଲା। ଏଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୦୦ରୁ ଅଧିକ ଆହତ ହୋଇଥିଲେ।
ପ୍ରତିରକ୍ଷା ଅଧ୍ୟୟନ ଅନୁଯାୟୀ ଦିଲ୍ଲୀରେ ୧୯୯୭ ମସିହାରୁ ମୋଟ ୨୬ଥର ବଡ଼ଧରଣର ବିସ୍ଫୋରଣ ହୋଇ ୯୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୬୦୦ ଅଧିକ ଲୋକ ଆହତ ହୋଇଛନ୍ତି। ୧୯୮୫ ମସିହା ମେ ୧୦ରେ ପ୍ରଥମ ଥର ଦିଲ୍ଲୀରେ ବଡ଼ଧରଣ ବିସ୍ଫୋରଣ ହୋଇଥିଲା। ଟ୍ରାଞ୍ଜିଷ୍ଟରରେ ବୋମା ଖଞ୍ଜା ଯାଇ ଅନେକ ସ୍ଥାନରେ ବିସ୍ଫୋରଣ କରାଯାଇଥିଲା। ଏଥିରେ କେବଳ ଦିଲ୍ଲୀରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୨୭ ଜଣ ଆହତ ହୋଇଥିଲେ। ସ୍ବାଧୀନତା ପରେ ଏହା ପ୍ରଥମ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟଣା ଥିଲା। ଏହାପରେ ୨୧ ମେ ୧୯୯୬ରେ ଲଜପତ ନଗରରେ ସେଣ୍ଟ୍ରାଲ ମାର୍କେଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩୮ରୁ ଅଧିକ ଆହତ ହୋଇଥିଲେ। ୨୦୦୫ରେ ଦୀପାବଳିର ଦିନକ ପୂର୍ବରୁ ୨୯ ଅକ୍ଟୋବରରେ ତିନିଟି ସ୍ଥାନରେ ଏକାସାଙ୍ଗରେ ହୋଇଥିବା ବିସ୍ଫୋରଣରେ ୬୨ ଜଣଙ୍କର ମୃତ୍ୟୁ ଓ ୨୧୦ ଜଣ ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/untitled-13-2025-11-11-07-27-34.jpg)