ଲସ୍କର-ଇ-ତଇବାର ସହ-ପ୍ରତିଷ୍ଠାତା ହାଫିଜ ସଇଦର ଘର ନିକଟରେ ବଡ ଧରଣର ବିସ୍ଫୋରଣ; ୨ ମୃତ, ୧୬ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ଲାହୋରରେ ବିସ୍ଫୋରଣ | ଚାଲିଗଲା ୨ଜଣଙ୍କ ଜୀବନ | ବୁଧବାର ଲାହୋରରେ ଏକ ବଡ଼ ବିସ୍ଫୋରଣ ଘଟି ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଲସ୍କର-ଇ-ତଇବାର ସହ-ପ୍ରତିଷ୍ଠାତା ତଥା ଜମାତ-ଉଦ-ଦୱା (ଜୁଡି) ର ମୁଖ୍ୟ ହାଫିଜ ସଇଦର ଲାହୋରସ୍ଥିତ ବାସଭବନ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି।

ଲାହୋରର ଜୋହର ସହରରେ ବିସ୍ଫୋରଣ ହେବାର କିଛି ସମୟ ପରେ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

indiatoday.in

ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଘରୋଇ କାର ଏବଂ ଅଟୋ ରିକ୍ସା ମାଧ୍ୟମରେ ଲାହୋରର ଜିନ୍ନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଉଦ୍ଧାରକାରୀ ଟିମ କହିଛନ୍ତି। ବିସ୍ଫୋରଣ ଦେଖିଥିବା ଲୋକେ କହିଛନ୍ତି ଯେ, ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ନିକଟସ୍ଥ ଘର ଏବଂ କୋଠାର ଝରକାରେ ଲାଗିଥିବା କାଚ ଭାଙ୍ଗି ଯାଇଥିଲା। ବିସ୍ଫୋରଣରେ ଘଟଣାସ୍ଥଳରେ ଥିବା କିଛି ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି | ଏହା ସହ ଜଣେ ଅଜଣା ବ୍ୟକ୍ତି ଆସି ଏକ ଘର ପାଖରେ ବାଇକ ରଖି ଚାଲିଯିବାର କିଛି ସମୟ ପରେ ତାହା ବିସ୍ଫୋରଣ ହୋଇଥିବା ଲୋକେ କହିଛନ୍ତି | ଘଟଣା ପରର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି |

ସମ୍ବନ୍ଧିତ ଖବର