ଦିଲ୍ଲୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅଗ୍ନିକାଣ୍ଡ; ସମସ୍ତ ପରିଚୟପତ୍ର ପୋଡ଼ି ଅଙ୍ଗାର

ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ ଦକ୍ଷିଣପୂର୍ବ ଦିଲ୍ଲୀସ୍ଥିତ କାଳିନ୍ଦୀକୁଞ୍ଜ ଅଞ୍ଚଳରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅଗ୍ନିକାଣ୍ଡ ଯୋଗୁଁ ସବୁ ପୋଡ଼ି ଛାରଖାର ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ନ ହେଲେ ମଧ୍ୟରେ ପ୍ରାୟ ୨୩୦ ବାସିନ୍ଦା ସେମାନଙ୍କର ବାସସ୍ଥଳୀ ଏବଂ ଜାତିସଂଘ ଦେଇଥିବା ସ୍ୱତନ୍ତ୍ର ଭିସା ଏବଂ ପରିଚୟପତ୍ର ସମେତ ସବୁ କିଛି ପୋଡ଼ି ଅଙ୍ଗାର ହୋଇଯାଇଛି। ମିଅାଁମାର୍‌ ଠାରେ ଥିବା ସେମାନଙ୍କର ଜମିବାଡ଼ିର କାଗଜପତ୍ର ମଧ୍ୟ ରକ୍ଷା ପାଇ ନାହିଁ।

ଅଗ୍ନିଶମ ସେବା ଅଧିକାରୀମାନେ କହନ୍ତି ଯେ ରାତି ପ୍ରାୟ ୩ଟା ସମୟରେ ପ୍ରାଥମିକ ଭାବେ ଦୁଇଟି ଦମକଳ ପଠାଯାଇଥିଲା। ନିଅାଁ ଅଧିକ ଚରି ଯିବାରୁ ଆଉ ଆଠଟି ଦମକଳ ପଠାଯାଇଥିଲା। ନିଅାଁ ଲିଭାଇବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୪୭ ପରିବାର ବସବାସ କରୁଥିବା ପ୍ଲଟ୍‌ର ସବା ବାମ କଡ଼ରେ ଥିବା ଏକ ଶୌଚାଳୟରେ ପ୍ରଥମେ ନିଅାଁ ଲାଗିଥିଲା। ବିଜୁଳି ତାରରେ ସର୍ଟ ସର୍କିଟ୍‌ ଯୋଗୁଁ ନିଅାଁ ଲାଗିଥିବା ସନ୍ଦେହ କରାଯାଉଛି। ଅଧିକାଂଶ ଘର ଆଜ୍‌ବେସଷ୍ଟସ୍‌, ଟିଣ ଏବଂ ପ୍ଲାଷ୍ଟିକ୍‌ରେ ତିଆରି ହୋଇଥିବାରୁ ସହଜରେ ନିଅାଁ ଚରିଯାଇଥିଲା।

ଘଟଣାସ୍ଥଳରେ ପୁଲିସ ଟିମ୍‌ ପହଞ୍ଚି ଶରଣାର୍ଥୀମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଛନ୍ତି। ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର