ନୂଆଦିଲ୍ଲୀ: ଗତ ୩ ଦିନର ଲଗାଣ ବର୍ଷାରେ ଦିଲ୍ଲୀ ସହର ଅଚଳ ହୋଇଯାଇଛି ଏବଂ ଆଜି ମଧ୍ୟ ବର୍ଷା ଜାରି ରହିଥିବାରୁ ସ୍ଥିତି ବିଗୁଡ଼ୁଛି। ଦିଲ୍ଲୀ-ଏନ୍ସିଆର୍, ପଡ଼ୋଶୀ ନୋଏଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦରେ ଜଳବନ୍ଦି ସମସ୍ୟା ସାଂଘାତିକ ରୂପ ନେଇଛି। ଯମୁନା ନଦୀ ଲଗାତାର ଫୁଲୁଥିବାରୁ ଦିଲ୍ଲୀରେ ରାସ୍ତାଘାଟରେ ଏବେ ବନ୍ୟା ପାଣିର ସୁଅ ଛୁଟିଛି। ତଳିଆ ଅଞ୍ଚଳର ଅନେକ ଘର ଜଳମଗ୍ନ ହୋଇଯାଇଛି। ‘ମଜନୁ କା ତିଲା’ ଅଞ୍ଚଳରେ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି। ମଦନପୁର ଖଦର ଏବଂ ବଦରପୁରରେ ଶତାଧିକ ପରିବାର ଏବେ ଅସ୍ଥାୟୀ ଶିବିରରେ ରହୁଛନ୍ତି। ଆଜି ଅପରାହ୍ଣରୁ ଯମୁନା ନଦୀ ଜଳ ୨୦୭ ମିଟର ଉପରେ ପ୍ରବାହିତ ହେଉଛି। କର୍ତ୍ତୃପକ୍ଷ ଦିଲ୍ଲୀର ତଳିଆ ଅଞ୍ଚଳରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଖାଲି କରିବା ସହ ରିଲିଫ୍ ଓ ଥଇଥାନ ବ୍ୟବସ୍ଥା ତ୍ବରାନ୍ବିତ କରିଛନ୍ତି। ୨୮ଟି ସ୍ଥାନରୁ ୧୦ ହଜାରରୁ ଅଧିକ ଲୋକ ଏବେ ରିଲିଫ୍ ଶିବିରରେ ଅଛନ୍ତି। ଯମୁନା ବନ୍ୟା ଜଳ ରିଲିଫ୍ ଶିବିରରେ ପ୍ରବେଶ କରିବାରୁ ସେଠାରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀରେ ସମସ୍ତ ସ୍କୁଲ୍ ବନ୍ଦ ରହିଛି ଏବଂ ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଅପରେସନ୍ ଜାରି ରହିଛି।
ସ୍ଥାନାନ୍ତର ହେଲେ ୧୦ ହଜାର ଲୋକ
ରିଲିଫ୍ ଶିବିରରେ ପଶିଲା ବନ୍ୟାଜଳ
ସ୍କୁଲ ବନ୍ଦ, ଆଇଏମ୍ଡି ପକ୍ଷରୁ ରେଡ୍ ଆଲର୍ଟ
‘ମଜନୁ କା ତିଲା’ରେ ଚଳଚଞ୍ଚଳ ବଜାର ଏବେ ନିରବ ପଡ଼ିଯାଇଛି। ଯମୁନା ବଜାର ସଂପୂର୍ଣ୍ଣ ଭାବେ ବନ୍ୟାପାଣି ଘେରରେ ଥିବା ବେଳେ ହଜାର ହଜାର ଜନତା ଦୁର୍ଦ୍ଦଶା ଘେରରେ ରହିଛନ୍ତି। ସେହିପରି ବଦରପୁରରେ ୨ ଶହରୁ ଅଧିକ ଘର ବନ୍ୟା ଜଳରେ ବୁଡ଼ିଯାଇଛି। ଇତିମଧ୍ୟରେ ଆଇଏମ୍ଡି କେନ୍ଦ୍ରୀୟ, ପୂର୍ବ, ଉତ୍ତରପୂର୍ବ, ସହଦରା, ଦକ୍ଷିଣ ଓ ଦକ୍ଷିଣପୂର୍ବ ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ନୂଆଦିଲ୍ଲୀ, ଉତ୍ତର, ଉତ୍ତରପଶ୍ଚିମ, ଦକ୍ଷିଣପଶ୍ଚିମ, ପଶ୍ଚିମ ଦିଲ୍ଲୀ, ଗୌତମବୁଦ୍ଧନଗର, ଗାଜିଆବାଦ, ଫରିଦାବାଦ ଏବଂ ଗୁରୁଗ୍ରାମକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି। ପ୍ରବଳ ବର୍ଷା ପାଇଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୨୭୩ ବିମାନର ଉଡ଼ାଣ ଏବଂ ୭୩ ବିମାନର ଅବତରଣ ବିଳମ୍ବ ହୋଇଛି। ଉଲ୍ଲେଖଯୋଗ୍ୟ, ହରିୟାଣାର ହାଥନିକୁଣ୍ଡ ବ୍ୟାରେଜ୍ରୁ ଲଗାତାର ଜଳ ଛଡ଼ାଯାଉଥିବାରୁ ସମସ୍ୟା ଅତି ଗମ୍ଭୀର ହୋଇଛି। ଦିଲ୍ଲୀରେ ପୁରୁଣା ରେଳବାଇ ପୋଲ ଏବଂ ନିଗମ ବୋଧ ଘାଟ ବନ୍ଦ କରାଯାଇଛି।